ସପନର ସୌଦାଗର ବିଜେପି

ବିଜେଡିକୁ ମୂଳପୋଚ୍ଛ କରିବାର ଅଭିଯାନ ବିଜେଡିର ଅସ୍ତିତ୍ୱ ଲୋପ କରି ରାଜ୍ୟରେ ବିଜେପିକୁ ସୁଦୃଢ଼ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ନିର୍ବାଚନ ସମୟରେ କିଛି ବିଜେଡି ନେତାଙ୍କୁ ଚତୁରତାର ସହିତ କରଗତ କରି ବିଜେପି ସରକାର ଗଠନ କରିପାରିଛି । ନିର୍ବାଚନ ପରେ ବିଜେଡିର ଜଣେ ରାଜ୍ୟସଭା ସଭ୍ୟଙ୍କୁ ବିଜେପି ଆପଣା ଶିବିରକୁ ଆଣିପାରିଛି । ବିଜେଡିର ଆଉ ଜଣେ ରାଜ୍ୟସଭା ସଭ୍ୟ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି । ଅଚ୍ୟୁତ ସାମନ୍ତଙ୍କ ଭଳି କିଛି ବାଦୁଡ଼ି ନେତା ଏବେ ବିଜେପି ପତାକା ଧରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଯାଜପୁର ନେତ୍ରୀ ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିବାର ଆଶଙ୍କା କରାଯାଉଛି ।

ରାଜ୍ୟରେ ବିଜେଡି ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଛି । ଏମିତି ଏକ ବିଭ୍ରାନ୍ତିକର ପରିବେଶ ସୃଷ୍ଟି କରି ବିଜେପି ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କୁ ଶ କିଛି ବର୍ଷ ଶାସନ କରିବା ମତଲବରେ ଅଛି ।

ବିଜେପି ପାଇଁ ବୁମେରାଂ ନହେଉ, ଏଭଳି ପୂର୍ବାନୁମାନ କରିଛନ୍ତି ରାଜ୍ୟର ବରିଷ୍ଠ ରାଜନୀତି ସମୀକ୍ଷକ ଆଚାର୍ଯ୍ୟ ଧର୍ମରାଜ ।

ଧର୍ମରାଜ କହିଛନ୍ତି, ବିଜେଡି ଆପଣା ଦୋଷରୁ ହାରିଛି । ଲୋକଙ୍କ ହାତକୁ କାମ ନଦେଇ ବିଜେଡି ସରକାର ଲୋକଙ୍କୁ ମାଗଣା ଚାଉଳ, କାଳିଆ ଟଙ୍କା, ପିଠାପଣା, କାଙ୍ଗାଳି ଭୋଜନ ଦେଇ ଅଳସୁଆ କରିଦେଲା ।

ବିଜେଡି ଭଳି ବିଜେପି ରାଜ୍ୟର ମହିଳା ଭୋଟରଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବାର ଲୋଭ ଦେଖାଇ କ୍ଷମତା ଦଖଲ କଲା । କ୍ଷମତାକୁ ଯିବା ପରେ ୨ ବର୍ଷରେ ୫୦ ହଜାର ଟଙ୍କା ଦେବାର ପ୍ରତିଶ୍ରୁତିକୁ ୫ ବର୍ଷରେ ପୂରଣ କରିବ ବୋଲି ଘୋଷଣା କଲା ।

୫ ବର୍ଷ ଭିତରେ ବିଜେପିର ପ୍ରତି ବିଧାୟକ ଓ ସାଂସଦ ସରକାରୀ ନଥିପତ୍ର ଅନୁସାରେ ଅତି କମ୍‌ରେ କୋଟିଏ ଟଙ୍କା ଲେଖାଏଁ ରୋଜଗାର କରିବେ । ସେହି ସମୟ ଭିତରେ ରାଜ୍ୟର ବଛା ବଛା ମହିଳାଙ୍କୁ ୫୦ ହଜାର ଟଙ୍କା ଦେଇ ବିଜେପି ପୁଣି ଥରେ ସରକାର ଗଠନ କରିବା ଆଶା ରଖିଛି । ବିଜେପିର ରଣନୀତି କେତେଦୂର ଲାଭଦାୟକ ରହିବ, ତାହା ଭବିଷ୍ୟତ କହିବ ।

ମାତ୍ର ସୁଭଦ୍ରା ଯୋଜନା ଭଳି କ୍ଷଣସ୍ଥାୟୀ ଯୋଜନା ରାଜ୍ୟବାସୀଙ୍କୁ ସବୁଦିନ ପାଇଁ ବୋକା ବନାଇ ପାରିବନି ।