ଭୁବନେଶ୍ୱର: ସରକାରୀ ବାବୁମାନେ ସରକାରୀ ଆଇନ ଫାଶରୁ ସହଜରେ ଖସିଯିବା ପାଇଁ ଛୋଟିଆ ଗଳାବାଟଟିଏ ରଖିଥାନ୍ତି । ଜାତୀୟ ସୁରକ୍ଷା ପାଇଁ ଯେତେସବୁ ଆଇନ ତିଆରି କରାଯାଇଛି, ତା’ ଭିତରେ ଏମିତି କିଛି ଗଳାବାଟ ରହିଛି ଯାହା ସରକାରୀ ବାବୁଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଛି, ସାଧାରଣ ଖଟିଖିଆକୁ ଫାଶୀଖୁଂଟରେ ଝୁଲାଇ ଦେବାର ତାକତ୍ ରଖିଛି ।
ରାଜ୍ୟରେ ବିଜେପି ସରକାରକୁ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଥମ ଥର ପାଇଁ ମିଳିତ ଭାବେ ଭୁବନେଶ୍ୱରକୁ ଆସିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନବେ ଡିଗ୍ରୀର ପ୍ରଣାମ ଓଡ଼ିଶାର ଆତିଥେୟତାକୁ ସ୍ମରଣୀୟ କରିଛି ।
୨୦୪୭ ସୁଦ୍ଧା ଦେଶକୁ ବିଶ୍ୱର ଏକ ନମ୍ବର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଯୋଉ ରୋଡ୍ ମ୍ୟାପ୍ ତିଆରି କରିଛନ୍ତି, ତା’ ଭିତରେ ଓଡ଼ିଶାକୁ ପ୍ରଥମ ଭାଗରେ ରଖିବା ପାଇଁ ମୋଦିଜୀ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି ବୋଲି ବିଜେପି ପକ୍ଷରୁ ପ୍ରଚାର କରାଯାଉଛି ।
ଡବଲ ଇଂଜିନ ସରକାର କହିଲେ ଗଣମାଧ୍ୟମରେ ପ୍ରକାଶିତ ସରକାରୀ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଫଟୋକୁ ବୁଝାଏ ବୋଲି ରାଜ୍ୟର ଖଟିଖିଆ ପରିବାର ବୁଝୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଜୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କ ଅତିଥି ନା ବିଜେପିର ଅତିଥି, ତା’ର ଭିତରକୁ ପ୍ରବେଶ କରିବା ପାଇଁ କୌଣସି ଗଣମାଧ୍ୟମ ନିକଟରେ ସତ୍ସାହସ ନାହିଁ ।
ତେବେ ‘କଦଳୀ ବିକା ସାଙ୍ଗକୁ ଠାକୁରଙ୍କ ଦର୍ଶନ’ ନୀତିରେ ମୋଦିଜୀ ଓ ଶାହଜୀ ଓଡ଼ିଶାକୁ ଆସିଛନ୍ତି । ଭୁବନେଶ୍ୱରରେ ତିନିଦିନ ରହଣି ଭିତରେ ଦେଶର ଡିଜିପି ଓ ଆଇଜିମାନଙ୍କ ସମେତ ବିଜେପି କର୍ମୀମାନଙ୍କୁ ବହୁତ କିଛି ଗୁରୁମନ୍ତ୍ର ପଢ଼ାଇବେ ମୋଦିଜୀ ଓ ଶାହଜୀ ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଆଳରେ ବିଜେପିର ବିକାଶ ପ୍ରତି ପ୍ରଯତ୍ନଶୀଳ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଓଡ଼ିଶା ଗସ୍ତ ରାଜ୍ୟବାସୀଙ୍କ ମନରେ କୌଣସି ପ୍ରକାର ସନ୍ଦେହ ସୃଷ୍ଟି ନକରୁ, ତା’ ନହେଲେ ଯୋଉ ଲୋକମାନେ ମୋଦିଜୀଙ୍କ ଗୁଣଗାନ କରୁଛନ୍ତି, ସେଇ ଲୋକମାନେ ମୋଦିଜୀଙ୍କୁ ପ୍ରଶ୍ନବାଣରେ ପୋତି ପକାଇବା ଅସମ୍ଭବ ନୁହେଁ ।