ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂକୁ ଉଦଘାଟନ କରିବେ । ସେହିଦିନ ଜଗତପୁରସ୍ଥିତ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ) ନେସନାଲ ସେଂଟର ଅଫ ଏକ୍ସେଲେନ୍ସ ପକ୍ଷରୁ ସାଇକେଲ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସାଇକେଲ ଚାଳକମାନେ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ବାରବାଟୀ ଦୁର୍ଗ ଦେଇ ସ୍ଥାନୀୟ ସମାଜ ଅଫିସ ପର୍ଯ୍ୟନ୍ତ ସାଇକେଲ ଚାଳନା କରିବେ । ଏଥିରେ ରାଜ୍ୟର ବହୁ କ୍ରୀଡା ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଜଗତପୁରସ୍ଥିତ ସାଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗମନାଗମନ ଓ ବ୍ୟାୟାମ ପାଇଁ ସାଇକେଲର ଗୁରୁତ୍ୱପୂର୍ଣ ଭୂମିକାକୁ ଏହା ସୂଚିତ କରିବ ବୋଲି କୁହାଯାଇଛି । ସାଇକେଲ ଆରୋହୀମାନେ ବାରବାଟୀ ଦୁର୍ଗ ପାଖରୁ ସମାଜ ଅଫିସ ଯାଏ ଯିବେ ଓ ପୁଣି ଫେରିବାର କାର୍ଯ୍ୟକ୍ରମ ରହିଛି ।
ସାଇକେଲିଂ ଫେଡେରେସନ ଅଫ ଇଣ୍ଡିଆ, ମାଇଁ ଭାରତ, ଆଂଚଳିକ ସାଇ ନେସନାଲ ସେଂଟର ଅଫ ଏକ୍ସେଲେନ୍ସ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର, ଜିଲ୍ଲା ପ୍ରଶାସନର ସହଯୋଗକ୍ରମେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହା ଆୟୋଜିତ କରାଯାଉଛି ।
ଡିସେମ୍ବର ୧୭ ତାରିଖରେ ସମଗ୍ର ଦେଶର ଏକ ହଜାର ସ୍ଥାନ ସହ ବିଭିନ୍ନ ସାଇ ଆଂଚଳିକ କେନ୍ଦ୍ରରେ ଏହା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ସାରା ଦେଶରେ ପ୍ରତି ମଙ୍ଗଳବାର ଦିନ ଏପରି ସାଇକେଲ ଚାଳନା କାର୍ଯ୍ୟକ୍ରମ ହେବାର ରହିଛି । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ କ୍ରୀଡା କ୍ଷେତ୍ରରେ ଆମ ଦେଶକୁ ଏକ ମହାଶକ୍ତିଶାଳୀ ଦେଶ ଭାବରେ ପରିଗଣିତ କରିଛି । ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ଉନ୍ନତି ହେବା ସହ ସାଇକେଲ ଚାଳନାକୁ ଏକ ସ୍ୱତନ୍ତ୍ର ଖେଳର ମର୍ଯ୍ୟାଦା ଦେଇଛି ।