ବିକଶିତ ଭାରତ ଖୋଳପା ଭିତରେ ଦାଦନ ଭୂତ

ଦାଦନ ଭୂତ ଓଡ଼ିଶାକୁ କାହିଁ କୋଉ ଅମଳରୁ ଗ୍ରାସ କରିସାରିଛି । ସମୟ ସୁଅରେ କେନ୍ଦ୍ରର ଏନ୍‌ଡିଏ ସରକାରକୁ ବିତିଯାଇଛି ୧୦ ବର୍ଷ । ଓଡ଼ିଶାରେ ବିଜେଡି ସରକାରଙ୍କ ୨୪ ବର୍ଷର ଶାସନ ଅମଳରେ ବହୁ ଯୁବକ ଯୁବତୀ ଦାଦନ ଭୂତ କବଳରେ ପଡ଼ି କଲବଲ ହୋଇଛନ୍ତି । ଗଣମାଧ୍ୟମରେ ଦାଦନ ମୃତ୍ୟୁ ଖବରକୁ ହସି ଉଡ଼ାଇ ଦେଉଥିଲେ ନବୀନ ପଟ୍ଟନାୟକ ଓ ତାଙ୍କର ଅନୁଗତ ପଲ । ଯାହା ହେଉ ଘଟଣାକ୍ରମେ କ୍ଷମତାକୁ ଯାଇଛି ବିଜେପି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅମଳରେ ଦାଦନ ଦୁଃଖମୋଚନ ପାଇଁ ଡବଲ ଇଂଜିନ ସରକାର ପକ୍ଷରୁ ରଣନୀତି କ’ଣ ରହିବ? ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୭ ମାସ ଭିତରେ ୨୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ସରକାରୀ ବିଭାଗରେ ଥଇଥାନ କରାଯାଇଛି ।

ମାତ୍ର କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଭଳି କିଛି ଜିଲ୍ଲାରେ ରାସ୍ତାଘାଟରେ ଦାଦନ ପୋଷ୍ଟର ଦେଖିବାକୁ ମିଳୁଛି । ଉକ୍ତ ପୋଷ୍ଟରଗୁଡ଼ାକ ମୋଦୀ ସରକାରଙ୍କ ବିକଶିତ ଭାରତକୁ ଉପହାସ କରୁଛନ୍ତି । ଦେଖଣାହାରୀଙ୍କ ସୂଚନା ମୁତାବକ କନ୍ଧମାଳର ଏକାଧିକ ଗାଁରେ ଛକଜାଗା, ପାଚେରୀ, ଗଛଗୁଡ଼ିକରେ ପୋଷ୍ଟର ଲଗାଯାଇ ଦାଦନରେ ଯିବାକୁ ଲୋକଙ୍କୁ ଖୋଜା ପଡ଼ିଛି । ପୋଷ୍ଟର ମାରିଛନ୍ତି କିଛି ଦଲାଲ ।
ସରକାରୀ ସ୍ତରରେ ପାଠ ପଢ଼ିଥିବା ପିଲାଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । କିନ୍ତୁ ଅଳ୍ପ ପାଠୁଆଙ୍କୁ ମାଟିପାଣିରେ ଖଟାଇବାକୁ ସରକାରଙ୍କ ସିରସ୍ତାରେ ଚାକିରି ମିଳିଲେ ତ? ରାଜଧାନୀର ମଣିଷ ହାଟ ଉପରେ କେବେ ନଜର ପକାଇଛନ୍ତି? ମଣିଷ ହାଟରେ କଲବଲ ହେବା ଅପେକ୍ଷା ଦାଦନରେ ଚାଲିଯିବା ଉଚିତ । କନ୍ଧମାଳର କୌଣସି ନିପଟ ଗାଁ ଛକରୁ କେରଳ ଅଭିମୁଖେ ଯାଉଥିବା ବସ୍‌ରେ ଖାଲି ଦାଦନ ଶ୍ରମିକଙ୍କୁ ନିଆଯିବାର ବନ୍ଦୋବସ୍ତ କରାଯାଉଛି ।
ନିତି ସପ୍ତାହରେ ଦାଦନରେ ଯାଉଥିବା ଲୋକଙ୍କ ହାତରେ କାମଧନ୍ଦା ନାହିଁ । ଜଳସେଚନ ଅଭାବରୁ ଚାଷ କରିବା ଅସମ୍ଭବ । ପ୍ରଶାସନ ଜାଣତରେ ଦାଦନଙ୍କୁ ନେଇ ବସ୍‌ଗୁଡ଼ିକ ଗୁଜରାଟ, କେରଳ, ତେଲେଙ୍ଗାନା, ତାମିଲନାଡୁ ଭଳି ରାଜ୍ୟକୁ ଯାଉଛି ।

ଏକଦା ବିରୋଧୀ ଆସନରେ ବସି ରାଜ୍ୟର ଦାଦନ ସମସ୍ୟାକୁ କଠୋର ହସ୍ତରେ ଦମନ କରିବା ପାଇଁ ତକ୍ରାଳୀନ ବିଜେଡି ସରକାରକୁ ବାଧ୍ୟ କରୁଥିବା ବିଜେପି ଏବେ କ୍ଷମତାସୀନ । ତକ୍ରାଳୀନ ବିରୋଧୀ ଦଳ ନେତା ଏବେ ମୁଖ୍ୟମନ୍ତ୍ରୀ । ବିଜେପି ସରକାର ଆଖିରେ ଆଙ୍ଗୁଠି ଗେଞ୍ଜି ପଡୋଶୀ ରାଜ୍ୟରୁ ବସ୍‌ ଆସୁଛି, ଦଲାଲଙ୍କ ସହାୟତାରେ ଯୁବକଙ୍କୁ ଖୋଜି ଖୋଜି ଦାଦନରେ ଖଟାଇବାକୁ ନେଇଯାଉଛି । ସଂପୃକ୍ତ ଅଂଚଳର ବିଜେପି କର୍ମୀମାନେ ସବୁ ଦେଖି ନିରବ ରହିବା ପଛରେ ବିଜେପି ବିଧାୟକ ଅବା ସାଂସଦ ଦାୟୀ ନୁହନ୍ତି ତ?

ରାଜ୍ୟ ପ୍ରଶାସନକୁ ଅତି ନିକଟରୁ ଦେଖି ଆସୁଥିବା ବୁଦ୍ଧିଜୀବୀଙ୍କ ମତରେ ଦାଦନ ସମସ୍ୟାର ସମାଧାନ ରାଜ୍ୟ ସରକାରଙ୍କ ହାତରେ ନାହିଁ । ଉପାନ୍ତ ଜିଲ୍ଲାଗୁଡ଼ିକରେ ବଂଚିବାର ଏକମାତ୍ର ସହଜ ବାଟ ହେଉଛି ଦାଦନ । ଦାଦନରେ ଯାଉଥିବା ଲୋକଙ୍କ ଭାଗ୍ୟ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି । ସେମାନଙ୍କର ରୋଜଗାର ଗ୍ୟାରେଂଟି ନାହିଁ । ଦଲାଲଙ୍କ କବଳରେ ପଡ଼ି ନିର୍ଯାତନା ଭୋଗିବା ସୁନିଶ୍ଚିତ । ଏଭଳି ପୀଡ଼ାର ନିରାକରଣ ଦିଗରେ ବିକଶିତ ଭାରତର ଅବଦାନ କେତେ? ପାଠକେ ବିଚାର କରିବେ ।