ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ମୟୂରଭଞ୍ଜ,(ସାକ୍‌ସୀ ନ୍ୟୁଜ୍‌): ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଏବଂ ଉପଦେଷ୍ଟା ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲାର ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ମୁଖ୍ୟତଃ ପାଞ୍ଚ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।

ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ୧ – ଚାକିରୀରୁ ଅବସର ନେବା ଦିନ ସମସ୍ତ ପ୍ରାପ୍ୟ ପ୍ରଦାନ, ୨ – ଲେବେଲ ୫ (ଏ ) ରୁ ଏ ବି ଇ ଓ ପର୍ଯ୍ୟନ୍ତ ପଦୋନ୍ନତିକୁ ତ୍ୱରାନ୍ୱିତ କରିବା, ୩ – ଜି ପି ଏଫ ଉଠାଣ, ଇନ୍କ୍ରିମେଣ୍ଟ ପ୍ରଦାନରେ ଅର୍ଥ ଆଦାୟ ବନ୍ଦ, ୪ – ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖାଲି ପଦ ପୂରଣ, ୫ – ଉଚ୍ଚ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ୬ଷ୍ଠ ରୁ ୮ମ ଶ୍ରେଣୀରେ ଶିକ୍ଷାଦାନ କାର୍ଯ୍ୟ ସମ୍ପାଦନ ପାଇଁ ଆଦେଶ ପ୍ରଦାନ । ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୨୧ ତାରିଖର ଶୁଣାଣି ପରେ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ ।

ସଂଘର ସଭାପତି ଦିଲୀପ କୁମାର ପାତ୍ର, ସାଧାରଣ ସମ୍ପାଦକ ସୁନୀଲ କୁମାର ବୋଡ, ଉପଦେଷ୍ଟା ଆରତ କୁମାର ପରିଡା ଓ ବିମଳ କୁମାର ଆଚାର୍ଯ୍ୟ, ଉପ-ସଭାପତି ଗାୟତ୍ରୀ ବେହେରା ଓ ବନମାଳୀ ନାଏକ, ସାଙ୍ଗଠନିକ ସମ୍ପାଦକ ଲଳିତ କୁମାର ବେହେରା ଓ ଚନ୍ଦ୍ରାବତୀ ମହାନ୍ତ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଦେ, ଜିଲ୍ଲା ସଂଯୋଜକ ଚନ୍ଦ୍ରମୋହନ ବେହେରା, ଜୋନାଲ ସମ୍ପାଦିକା ସବିତାରାଣୀ ବାଗ ତଥା ସକ୍ରିୟ ସଦସ୍ୟ ସଞ୍ଜୟ ସାର ପ୍ରମୁଖ ଉପସ୍ଥିତ ରହି ଦାବିଗୁଡିକ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ସମସ୍ତ ଦାବିକୁ ସହାନୁଭୂତିର ସହ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ।