ଜନନୀ ଯନ୍ତ୍ରଣାର ପୁଣି ଏକ ଦୁଃଖଦ ଚିତ୍ର

୫ କି.ମି. କାଦୁଅ ରାସ୍ତାରେ ଜନନୀ ଯନ୍ତ୍ରଣା, ଭାର ସାଜିଲା ଆମ୍ବୁଲାନ୍ସର ବିକଳ୍ପ

ଗୁଣୁପୁର,(ସାକ୍‌ସୀ ନ୍ୟୁଜ୍‌): ଗ୍ରାମକୁ ନାହିଁ ଭଲ ରାସ୍ତା। ବର୍ଷା ହେଲେ କାଦୁଅ ପଚପଚ ରାସ୍ତାରେ ଯାତାୟାତ ଅସମ୍ଭବ। ଏଭଳି ସ୍ଥିତିରେ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଏକ ଦୁଃଖଦ ଚିତ୍ର। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଗ୍ରାମରୁ ପ୍ରାୟ ୫ କି.ମି. ଦୂର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଭାରରେ ବୋହି ଆଣିବାକୁ ପଡ଼ିଛି। ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଏଭଳି ଦୁର୍ଦ୍ଦଶା ଭୋଗିଛନ୍ତି ଗର୍ଭବତୀ ଓ ତାଙ୍କ ପରିବାର।

ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ସାଟା ଗ୍ରାମରେ। ଗ୍ରାମର ଏସୋ ମାଝିଙ୍କ ପତ୍ନୀ ଦୀପିକା ମାଝି (୧୯) ଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସ୍ୱାମୀ ଏସୋ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ଗ୍ରାମକୁ ଯାଇଥିବା ପ୍ରାୟ ୫ କି.ମି. ରାସ୍ତା କାଦୁଅ ଓ ପଥୁରିଆ ହୋଇଥିବାରୁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରି ନଥିଲା।

ଖବର ପାଇ ଆଶାଦିଦି ସୁମନ୍ତି ମାଝି ଏବଂ ଆମ୍ବୁଲାନ୍ସ କର୍ମଚାରୀ ବିନୋଦ କୁମାର ସାହୁକାର, ଯଶୋବନ୍ତ ନାୟକ ଓ ପ୍ରମୋଦ ଜେନା ଗ୍ରାମରେ ପହଞ୍ଚି ସହଯୋଗ କରିଥିଲେ। ପରିବାର ସଦସ୍ୟ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଗର୍ଭବତୀଙ୍କୁ ପ୍ରାୟ ୫ କି.ମି. କାଦୁଅ ରାସ୍ତାରେ ଭାରରେ ବୋହି ପାଜିଲିବନ୍ଧ ନିକଟ ମୁଖ୍ୟ ରାସ୍ତାକୁ ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଗ୍ରାମାଞ୍ଚଳରେ ରାସ୍ତାର ଦୁରବସ୍ଥା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ବିଶେଷକରି ଗର୍ଭବତୀ ମହିଳାଙ୍କ ପାଇଁ ଏଭଳି ସ୍ଥିତି ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏହି ଗ୍ରାମରେ ୨୫ଟି ପରିବାର ରହି ଆସୁଛନ୍ତି। ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।