ବେଙ୍ଗାଲୁରୁ: ବେଙ୍ଗାଲୁରୁ ସଡ଼କରେ ଜଣେ ମହିଳା ଅଧିକାରୀ ଗାଡ଼ି ଚଳାଇ ଯାଉଥିବା ସମୟରେ ଲାପଟପ୍ ଖୋଲି କାମ କରୁଥିବା ଅପରାଧରେ ଟ୍ରାଫିକ୍ ପୁଲିସ ନିକଟରେ ଜରିମାନା ଗଣିଛନ୍ତି । ଗାଡ଼ି ଚଳାଇଲା ବେଳେ ଲାପଟପ୍ ବ୍ୟବହାର କରିବା ବଦଳରେ ଘରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ଟ୍ରାଫିକ୍ ପୁଲିସ୍ ।
ଘଟଣାଟି ଫେବୃଆରୀ ୧୨ ତାରିଖ ଦିନ ଘଟିଥିଲା । ଜରିମାନା ଗଣିଥିଲେ ମଧ୍ୟ ଟ୍ରାଫିକ୍ ପୁଲିସ ସଂପୃକ୍ତ ଘଟଣାର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ସେୟାର୍ କରିଥିଲା ।
ଉକ୍ତ ଭିଡିଓ ଦେଖିବା ପରେ ବହୁ ସୋସିଆଲ ମିଡିଆ ଦେଖଣାହାରୀ ନାନା ମନ୍ତବ୍ୟ ସେୟାର କରିଛନ୍ତି । କିଛି ଦେଖଣାହାରୀ ସଂପୃକ୍ତ ମହିଳାଙ୍କର ଗାଡ଼ି ଚାଳନା ଲାଇସେନ୍ସ ବାତିଲ କରିବାକୁ ପରାମର୍ଶ ଦେଇଥିଲା ବେଳେ ଜଣେ ଦେଖଣାହାରୀ ବେଙ୍ଗାଲୁରୁ ସଡ଼କରେ ଟ୍ରାଫିକ୍ ଜାମ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।
ଜଣେ ଦେଖଣାହାରୀ କମେଂଟ କରିଛନ୍ତି ଯେ ବ୍ୟସ୍ତବହୁଳ ବେଙ୍ଗାଲୁରୁ ସଡ଼କରେ ୧୭ କିମି ରାସ୍ତାକୁ ଅତିକ୍ରମ କରିବା ପାଇଁ ଅନ୍ୟୁନ ୨ ଘଂଟା ସମୟ ଲାଗିଯାଉଛି । କର୍ମଚାରୀମାନେ ଅଫିସ୍ରେ ଠିକ୍ ସମୟରେ ପହଂଚି ପାରୁନାହାନ୍ତି ।
ଅଫିସ୍ ଯିବା ବାଟରେ ଟ୍ରାଫିକ୍ ଜାମରେ ଫସିଥିବା କମ୍ପାନୀ ଅଧିକାରୀଙ୍କ ନିକଟରେ ଲାପ୍ଟପ୍ରେ କାମ କରିବା ଛଡ଼ା ଅନ୍ୟ ବିକଳ୍ପ ପାଇ ନଥିବେ ।