ଇମ୍ରାନଙ୍କ ଅବଦାନକୁ କେବେ ଭୁଲି ପାରିବିନି: ଗାଭାସ୍କର

ଭାରତୀୟ କ୍ରିକେଟ୍‌ ଦୁନିଆର କିମ୍ବଦନ୍ତୀ ତାରକା ସୁନୀଲ ଗାଭାସ୍କରଙ୍କ ମୁହଁରେ ପାକ୍‌ କ୍ରିକେଟର ତଥା ରାଜନେତା ଇମ୍ରାନ ଖାନଙ୍କ ତାରିଫ ଶୁଣି ଆପଣମାନେ ଅବାକ୍‌ ହେଉଛନ୍ତି? ଭାରତ-ପାକ୍‌ ସଂପର୍କ ସମସ୍ତଙ୍କୁ ଜଣା । ମାତ୍ର ଜଣେ ଖେଳାଳୀଙ୍କ ହୃଦୟରେ ଆଉ ଜଣେ ଖେଳାଳୀଙ୍କ ପ୍ରତି ରହିଥିବା ସ୍ନେହଶ୍ରଦ୍ଧା ଓ ଭଲ ପାଇବା ସୁନୀଲଙ୍କ ଏହି ମନ୍ତବ୍ୟରୁ ଆପଣମାନେ ଠଉରାଇ ପାରିବେ । ସୁନୀଲ କହନ୍ତି, ଟେଷ୍ଟ ଜଗତରେ ୧୦ ହଜାର ରନ୍‌ ବନାଇବାର ବିରଳ ଐତିହାସିକ ରେକର୍ଡ କେବଳ ଇମ୍ରାନଙ୍କ ଯୋଗୁ ସମ୍ଭବ ହୋଇପାରିଥିଲା । ଇମ୍ରାନଙ୍କ ସହାୟତା ବିନା ସୁନୀଲ ୧୦ ହଜାର ରନ୍‌ ହାସଲ କରିପାରି ନଥାନ୍ତେ ।

୧୯୮୭ ମସିହାରେ ଗାଭାସ୍କର ତାଙ୍କର ଟେଷ୍ଟ ଦୁନିଆର ମାଇଲଖୁଂଟ ସ୍ଥାପନ କରିଥିଲେ । ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଭାରତ-ପାକିସ୍ତାନ ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଗାଭାସ୍କର କ୍ରିକେଟ୍‌ ଦୁନିଆରୁ ଅବସର ଘୋଷଣା କରିବେ, ଏଇ ସୂଚନା ପାଇବା ପରେ ପାକିସ୍ତାନ ତା’ର କ୍ରିକେଟ୍‌ ରାଜନୀତିକୁ ଭିନ୍ନ ମୋଡ଼ ଦେବାକୁ ବସିଥିଲା ।
ଗାଭାସ୍କରଙ୍କୁ ପାକ୍‌ ସରକାରଙ୍କ କ୍ରିକେଟ୍‌ ରାଜନୀତି ସଂପର୍କରେ ଗୁପ୍ତ ସୂଚନା ସେୟାର୍‌ କରିଥିଲେ ଇମ୍ରାନ୍‌ । ୧୯୮୬ ମସିହାରେ ଭାରତ ଲଣ୍ଡନ ଗସ୍ତରେ ଯାଇଥିଲା । ସେଠାରେ ଭାରତ ପ୍ରଥମ ଟେଷ୍ଟ ଜିତିବା ପରେ ଗାଭାସ୍କର ଓ ଇମ୍ରାନ୍‌ ମିଳିତ ଭାବେ ଏକ ରେଷ୍ଟୁରାଂଟକୁ ଯାଇଥିଲେ ବିଜୟ ଖୁସି ମନାଇବା ପାଇଁ ।

ସେଇ ରେଷ୍ଟୁରାଂଟରେ ଗାଭାସ୍କରଙ୍କ ନିକଟରୁ ଟେଷ୍ଟ ଅବସର ବିଷୟ ଶୁଣିବା ପରେ ଇମ୍ରାନ୍‌ କହିଥିଲେ, ‘ନା ନା, ଆପଣ ସେପରି କିଛି କରିବେନି । ପାକିସ୍ତାନ ଭାରତକୁ ଆସୁଛି । ଆପଣ ମଇଦାନରେ ଖେଳୁଥିବା ସମୟରେ ଭାରତକୁ ହରାଇବା ମୋର ଏକମାତ୍ର ଅଭିଳାଷ ଅଛି ।’ ‘ପାକିସ୍ତାନ ଭାରତକୁ ଯିବାର କୌଣସି ଲକ୍ଷଣ ପ୍ରକାଶ ପାଉନି’, ଏ କଥାଟି ଗାଭାସ୍କରଙ୍କ ମୁହଁରୁ ଶୁଣିବା ମାତ୍ରେ ଇମ୍ରାନ୍‌ କହିଲେ, ‘ଅପେକ୍ଷା କରନ୍ତୁ, ଆସନ୍ତା ସପ୍ତାହରେ ଖବରଟି ଆପଣ ପାଇଯିବେ ।’ ସେହି ଘଟଣାକୁ ମନେ ପକାଇ ଗାଭାସ୍କର କହିଲେ, ସେ ଯଦି ଇଂଲଣ୍ଡ ମଇଦାନରେ ତରବରିଆ ଭାବେ ଅବସର ଘୋଷଣା କରିଥାନ୍ତେ, ତା’ ହେଲେ ତାଙ୍କର ରେକର୍ଡ ୯୨୦୦-୯୩୦୦ ରନ୍‌ ଭିତରେ ସୀମିତ ରହିଥାନ୍ତା । ମାତ୍ର ଇମ୍ରାନଙ୍କ ଟାଣ ପଣ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ସେ ଇମ୍ରାନଙ୍କୁ ଭାରତ ବିପକ୍ଷରେ ଜିତିବାକୁ ସୁଯୋଗ ଦେବେନି ବୋଲି ଦୃଢ଼ ସଂକଳ୍ପ କଲେ । ତାଙ୍କର ଦୃଢ଼ ସଂକଳ୍ପର ପରିଣାମ ଏତେ ସୁଖଦ ହେବ ବୋଲି ଗାଭାସ୍କର କଳ୍ପନା କରି ନଥିଲେ ।