ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁହାଇବ ସ୍ୱତନ୍ତ୍ର ଆପ୍‌

ମହାପ୍ରଭୁ ଶ୍ରୀଜଗନ୍ନାଥ ମହାବାହୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଆପ୍‌ ଲୋକାର୍ପଣ କରିଛନ୍ତି । ପୁରୀ ରଥଯାତ୍ରା ସଂପର୍କୀତ ସବୁ ତଥ୍ୟ ଓ ସୂଚନା ପ୍ରଦାନ କରିବ ଗୋଟିଏ ଆପ୍‌ । ସାଧାରଣ ଲୋକମାନେ ଉକ୍ତ ଆପ୍‌କୁ ମୋବାଇଲ ଫୋନ୍‌ରେ ଡାଉନ୍‌ଲୋଡ୍‌ କରିବା ପରେ ମନମୁତାବକ ତଥ୍ୟ ହାସଲ କରିପାରିବେ ।

ପୁରୀ ସହରର ପ୍ରଧାନ ଛକ ନିକଟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଏଆଇ କ୍ୟାମେରାଗୁଡ଼ିକ ଖଞ୍ଜା ଯାଇଛି । ରଥଯାତ୍ରା ପରିଚାଳନା କ୍ଷେତ୍ରରେ ନିୟୋଜିତ ବିଭାଗଗୁଡ଼ିକୁ ଗୋଟିଏ ଆପ୍‌ ସହିତ ସଂଯୁକ୍ତ କରାଯାଇଛି । ଲୋକାର୍ପିତ ଆପ୍‌ଟି ପ୍ରତି ଜଗନ୍ନାଥ ପ୍ରେମୀଙ୍କୁ ଅକ୍ଷୟ ତୃତୀୟା ନିକଟରୁ ଆରମ୍ଭ କରି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଟିକିନିଖି ବିବରଣୀ ପ୍ରଦାନ କରିବ । ମହାପ୍ରଭୁଙ୍କ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା, ଦେବଦର୍ଶନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପରିମଳ ନିଷ୍କାସନ ବ୍ୟବସ୍ଥା, ପ୍ରାଥମିକ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସେବା, ଭିଆଇପିଙ୍କ ଆତିଥେୟତା ସମେତ ଆହୁରି ବିଭିନ୍ନ ସେବା ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ଉପରେ ଜଳ ସିଂଚନ, ଗ୍ରୀଷ୍ଣକାଳୀନ ସହାୟତା ପ୍ରଦାନ କରିବା ପାଇଁ ପୁରୀ ମୁନିସିପାଲିଟିକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

ଏମିତି ଏକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଥିଲେ ୟୁପିର ଯୋଗୀ ଆଦିତ୍ୟନାଥଙ୍କ ସରକାର । ପ୍ରୟାଗରାଜରେ ବୁଡ଼ ପକାଉଥିବା ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଉପଯୁକ୍ତ ବନ୍ଦୋବସ୍ତ କରାଯାଇଥିଲା । ମାତ୍ର ଅମୃତ ବେଳାରେ ମହାସ୍ନାନ ତୁଠରେ ଶ୍ରଦ୍ଧାଳୁଙ୍କ ଠେଲାପେଲା ଓ ଦଳାଚକଟା, ଶ୍ରଦ୍ଧାଳୁଙ୍କ ଶିବିରରେ ନିଆଁ ଲାଗିବା ଭଳି ଛୋଟଛୋଟ ଦୁର୍ଘଟଣାରେ କିଛି ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଏକ ବିଡ଼ମ୍ବନାର ବିଷୟ । ଚିନ୍ତାର ବିଷୟ ନୁହେଁ କି? ସବୁ ବ୍ୟବସ୍ଥା ଭିତରେ ଶ୍ରଦ୍ଧାଳୁଙ୍କ ଜୀବନହାନିକୁ ହାଲୁକା ମଣି ଚୁପ୍‌ ରହିଯିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କଲା ପ୍ରାୟ ହେବ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକାର୍ପିତ ଆପ୍‌ ଯାତ୍ରୀଙ୍କ ପାଇଁ କେତେଦୂର ସହାୟକ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ ।