ସମସ୍ୟା ଛାଡ଼ି ରଙ୍ଗ ବୋଳୁଛି ବିଜେପି

ଭୁବନେଶ୍ୱର : ଲୋକଙ୍କ ସମସ୍ୟା ପଛକୁ ଥାଉ , ବିଜେଡି ଲଗାଇଥିବା ସବୁଜରଙ୍ଗ ଯଥାଶୀଘ୍ର ଲୁଚାଇବା ପାଇଁ ମୋହନ ମାଝିଙ୍କ ସରକାର ପୁରା ଦମରେ ଲାଗିପଡିଛନ୍ତି । ସବୁଜ ଓଡିଶାକୁ ଗେରୁଆ ମୟ କରିବା ପାଇଁ ଦିନରାତି ଏକ କରି ଦେଇଛି ବିଜେପି। ରାଜ୍ୟରେ ସରକାରକୁ ଏକବର୍ଷ ପୂରି ଯାଇଥିବାବେଳେ; ମାତ୍ର ଏମାନେ କେବଳ ଫିତା କାଟିବା, ରଙ୍ଗ ଲିଭେଇବା ଛଡ଼ା ଅନ୍ୟ କିଛି କରି ନାହାନ୍ତି। ମାତ୍ର ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଉତ୍ସାହ ପରିଲକ୍ଷିତ ହେଉନାହିଁ। ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟ ବନ୍ଦ ପଡ଼ିବା କିମ୍ବା ଉନ୍ନୟନମୂଳକ କାର୍ଯ୍ୟରେ ଅଗ୍ରଗତି ନହେବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ରାଜ୍ୟ ସରକାରଙ୍କୁ ଜନତା-ଜନାର୍ଦନଙ୍କ କାଠଗଡ଼ାରେ ଛିଡ଼ା କରାଇଛି।

ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ଏକାଧିକ ଲୋଭନୀୟ ପ୍ରତିଶ୍ରୁତିକୁ ଦେଇ କ୍ଷମତାକୁ ଆସିଥିଲା ବିଜେପି। ଗତ ଏକବର୍ଷ ମଧ୍ୟରେ କେବଳ ସୁଭଦ୍ରା ଯୋଜନା ଲୋକପ୍ରିୟତା ଅର୍ଜନକରିଛି ବୋଲି ସରକାର ଦାବି କରୁଛି। ବାସ୍ତବରେ ଯୋଗ୍ୟ ମହିଳା ହିତାଧିକାରି ସଂଗ୍ୟା ନିରୂପଣ କରିବାକୁ ଯାଇ ସରକାର ଲୋକହସା ହୋଇଛନ୍ତି। । ଗଣମାଧ୍ୟମରେ ନିଜକୁ ଦକ୍ଷ ବୋଲି ଯେତେ ପ୍ରଚାର କଲେମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ଆକଳନ କରି ସାଧାରଣଜନତା ଟ୍ୟାଗ୍‌ ଲାଇନ୍‌ ଦେଇଛନ୍ତି ‘ଲୁଚିଛି ନା ଗୋଡ ଦୁଇଟା ଦିଶୁଚି’।

ଅନ୍ୟପକ୍ଷରେ ମାଗଣା ବିଜୁଳି, ସରକାର ଗଢ଼ିବାର ୨୪ ଘଣ୍ଟା ମଧ୍ୟରେ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପରି ପ୍ରତିଶ୍ରୁତି ଧୂଆଁବାଣ ସାଜିଥିବା ବେଳେ ଅନ୍ୟ କେତେକ ପ୍ରତିଶ୍ରୁତିକୁ ଯେନତେନ ଉପାୟରେ ପୂରଣ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି।

ଅପରପକ୍ଷେ ସରକାର ସେପରି କୌଣସି ଆଖିଦୃଶିଆ ଯୋଜନାର କାର୍ଯ୍ୟାନ୍ବୟନ କରିପାରି ନାହାନ୍ତି। ଏପରିକି ଆୟୂଷ୍ମାନ, ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯିବାକୁ ଥିବା ନୂଆ ରାସନ୍‌ କାର୍ଡକୁ ନେଇ ମଧ୍ୟ ସାଧାରଣରେ ଦ୍ବନ୍ଦ୍ବ ଉପୁଜିଛି। ଏଥିସହ ସାଧାରଣରେ ଏକ ସ୍ପଷ୍ଟ ଚିତ୍ର ରଖିବାରେ ସରକାର ଅସମର୍ଥ ହୋଇଛନ୍ତି।