BJP : ଡବଲ ଇଞ୍ଜିନ ସରକାରଙ୍କ ମୂଳମନ୍ତ୍ର: ମୁଁ କେନ୍ଦ୍ରକୁ ଲୁଟୁଛି, ତମେ ରାଜ୍ୟକୁ ଲୁଟ

BJP : ଡବଲ ଇଞ୍ଜିନ ସରକାରରେ ଦେଶ ଓ ରାଜ୍ୟର ବିକାଶ ହେଉ ବା ନହେଉ, ବିଜେପିର ବିକାଶ ହେବା ଜରୁରୀ । ବିଜେପି ନେତା ଓ କର୍ମୀଙ୍କ ବିକାଶ ହେବା ଜରୁରୀ । ଝିଂଟିକା ମାରି ବଣି ପୋଷିବା ନୀତିକୁ ଆଦରି ନେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଗୋଟିଏ ଜାତୀୟ ଦଳ ଅର୍ଦ୍ଧଶତାବ୍ଦୀ ଧରି ଭାରତକୁ ଏକଚାଟିଆ ଶାସନ କରିବା ଭିତରେ ଦଳୀୟ ପାଣ୍ଠିରେ ଯେତିକି ଧନ ଜମା କରିଛି, ତାକୁ ଦେଖିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ନାନା କଳବଳ କୌଶଳ ପ୍ରୟୋଗ କରି ବିଜେପି ପାଣ୍ଠିରେ ସେତିକି ଧନ ତୁଳନାରେ ଢେର ଅଧିକ ଜମା କରିବା ଚକ୍କରରେ ଲାଗି ପଡ଼ିଛନ୍ତି । ଖାସ୍‌ ସେଇଥିପାଇଁ ଗତ ୧୧ ବର୍ଷ ଭିତରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଜାତୀୟକରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଅମ୍ବାନୀ ଆଦାନୀ ଭଳି ବ୍ୟବସାୟୀଙ୍କ ଥାଳ ଭରୁଛନ୍ତି ଓ ନିର୍ବାଚନ ବଣ୍ଡ ଜରିଆରେ ଦଳୀୟ ପାଣ୍ଠିକୁ ଉଠିଆ କରୁଛନ୍ତି ।

ଦେଶର ଅଭିବୃଦ୍ଧି ପାଇଁ ଭିତିଭୂମି ବିକାଶ ଜରୁରୀ, ଭିତିଭୂମି ବିକାଶ ପାଇଁ ରାଜକୋଷକୁ ଟଙ୍କା ଆଣିବାର ବାଟ ତିଆରି କରାଯିବା ଜରୁରୀ । ଗୋଟିଏ ରାଫେଲ ବିମାନର ମୂଲ୍ୟ ସାର୍ବଜନୀନ କରିବାକୁ ଆମ ପ୍ରଧାନମନ୍ତ୍ରୀ ରାଜି ନୁହନ୍ତି, ସେଇଥିରୁ ତାଙ୍କର ନିର୍ମଳ ବ୍ୟକ୍ତିତ୍ୱ ପ୍ରମାଣିତ ହୋଇଯାଉଛି । ଠିକ ସେମିତି ଆମ ମୁଖ୍ୟମନ୍ତ୍ରୀଙ୍କ ସାଧାସିଧା ଜୀବନଟା ସେ ରହୁଥିବା ସରକାରୀ ବଙ୍ଗଳାର ନବୀକରଣ ବାବଦ ଖର୍ଚ୍ଚରୁ ପ୍ରମାଣିତ ହୋଇଯାଉଛି ।

ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀ ମାମଲାର ତଦନ୍ତ ଭାର ଭିଜିଲାନ୍ସ ହାତକୁ ଟେକି ଦିଆଯାଇଛି । ମାତ୍ର  ତା’ର କ୍ରିମ୍‌ ରାଜ୍ୟ ରାଜକୋଷକୁ ଯିବା ଅନିଶ୍ଚିତ । ଖଣିଜ ଲୁଟ ମାମଲାରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ବାଟ ତିଆରି କରି ରାଜ୍ୟ ବିଜେପିକୁ ବିକଶିତ କରିବା ଜରୁରୀ । ତା’ ନହେଲେ ଆଗାମୀ ନିର୍ବାଚନରେ ବିଜେଡି କଂଗ୍ରେସକୁ ପଛରେ ପକାଇବା ସହଜ ହେବନି ।