କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତାର । ତେବ ଘଟଣା ସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ବହେ ଛେଚିଛନ୍ତି ସ୍ଥାନୀୟ ବାସିନ୍ଦା । ସଞ୍ଜୟକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସଞ୍ଜୟଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ସୂଚନା ।
ଯାଜପୁର ଡ଼ୁବୁରୀରେ ଲେବର କାମ କରୁଥିବା ବେଳେ ରଙ୍ଗ ନମ୍ବରରୁ କଣ୍ଟାପାଳ ୪ ନଂ କଲୋନୀର ଜନନୀ ମୁଣ୍ଡା ସହ ପ୍ରେମ ବିବାହ କରିଥିଲେ।ସଞ୍ଜୟ ଦୁଇ ବର୍ଷ ହେବ ଶ୍ୱଶୁର ଘର ନୋଟାରୀପଶିରେ ରହି ଟ୍ରାକ୍ଟର ଗାଡିରେ ଲେବର କାମ କରୁଥିଲେ। ବାହାଘର ପର ଠାରୁ ଜନନୀଙ୍କୁ ସଞ୍ଜୟ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ । ଗତ କାଲି ଚାଉଳ କିଣିବା ପାଇଁ ବଜାରକୁ ଯାଇ ସେଠାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ପ୍ରେମ ସମ୍ପର୍କର ସନ୍ତକକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବି ବୋଲି କହି ଶିଶୁକୁ କଚାଡି ମାରିଥିଲା ପିଶାଚ ବାପା । ଏ ନେଇ ଖବର ପଇସା କଙ୍କଡ଼ାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।