ଇରାନ୍ ଉପରେ ଇସ୍ରାଏଲ୍ର ଅତର୍କିତ ହମ୍ଲା ସଂପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗତୁରା ଦୋଷମୁକ୍ତ ଘୋଷଣା କରି କହିଛନ୍ତି ଯେ ଇସ୍ରାଏଲ୍ର ଆକ୍ରମଣ ପଛରେ ତାଙ୍କର କୌଣସି ହାତ ନାହିଁ । ସେ ଠାକୁର ଘରକୁ ଯାଇନାହାନ୍ତି କି କଦଳୀ ଖାଇନାହାନ୍ତି । ଇରାନକୁ ପରମାଣୁ ଶକ୍ତିସଂପନ୍ନ ଦେଶ କରାଇ ନଦେବା ପାଇଁ ୱାଶିଂଟନ୍ ଯାବତୀୟ କଳାକୌଶଳ ପ୍ରୟୋଗ କରିଛି । ମାତ୍ର ଇସ୍ରାଏଲ୍କୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର କରିବା ପାଇଁ ୱାଶିଂଟନ ଯଥା ସମ୍ଭବ ସାହାଯ୍ୟ କରିଛି । ଇରାନ୍ ଉପରେ ଅଚାନକ ହମ୍ଲା କରି ଇସ୍ରାଏଲ୍ ବହୁତ କିଛି କ୍ଷତି କରିଛି । ଇରାନ୍ର ପ୍ରାୟ ୮୦ ଲୋକଙ୍କୁ ମାରି ଦେଇଛି, ୪୦୦ରୁ ଅଧିକ ଲୋକଙ୍କୁ କ୍ଷତାକ୍ତ କରିଚି । ଇରାନ୍ ଉପରେ ଇସ୍ରାଏଲ୍ ହମ୍ଲା ପଛରେ ଯୁକ୍ତରାଷ୍ଟ୍ର ଆମେରିକାର ସମର୍ଥନ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ କହିଛି ।
ସୂଚନା ମୁତାବକ ଜୁନ ୧୩ ତାରିଖରେ ଇରାନର ତେହେରାନ୍ ଓ ନତାଞ୍ଜ ଅଂଚଳରେ ପ୍ରତିଷ୍ଠିତ ଏକାଧିକ ସାମରିକ ଘାଟି ଉପରେ ଇସ୍ରାଏଲ୍ ଜେଟ୍ ମିସାଇଲ୍ ମାଡ଼ କରିଥିଲା । ମିସାଇଲ୍ ମାଡ଼ରେ ଇରାନ୍ର ପରମାଣୁ ବ୍ରେନ୍ କୁହାଯାଉଥିବା ୬ ଜଣ ଆଗଧାଡ଼ିର ପରମାଣୁ ବିଜ୍ଞାନୀଙ୍କ ମୃତ୍ୟୁ ହୋଇଯାଇଥିବା କଥା ସାମ୍ନାକୁ ଆସିଛି । ଏହି ପରମାଣୁ ବିଜ୍ଞାନୀଙ୍କ ଦେଖା କରିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ଥିଲା ।
ଇରାନ୍କୁ ପରମାଣୁ ଶକ୍ତିସଂପନ୍ନ କରିବା ପଛରେ ଏହି ୬ ଜଣ ପରମାଣୁ ବିଜ୍ଞାନୀଙ୍କ ଅବଦାନ କିଛି କମ୍ ନୁହେଁ । ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ଓ ଇସ୍ରାଏଲ୍ ଆକ୍ରମଣରେ ପ୍ରାଣ ହରାଇଥିବା ୬ ଜଣ ପରମାଣୁ ବିଜ୍ଞାନୀ ହେଉଛନ୍ତି ଫେରେଦୌନ ଆବ୍ବାସୀ, ମହମ୍ମଦ ମେହଦି ତେହରାଂଚି, ମୁତ୍ଲାବିଜାଦେହ, ସୟିଦ ଅମିରହୁସେନ୍ ଫେକ୍ହି, ଅହମଦରେଜା ଜୁଲଫାଘାରି ଓ ଅବଦୁଲହମିଦ ମିନୌଚେହର ।
ଯୋଉ ବୈଜ୍ଞାନିକଙ୍କ ବଳରେ ଇରାନ୍ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ନାଲିଆଖି ଦେଖାଇ ଆସୁଥିଲା । ସେ ଆଜି ଇସ୍ରାଏଲ୍କୁ ପାଲଟା ଜବାବ ଦେବାକୁ ଅଂଟା ଭିଡ଼ିଛି । ମାତ୍ର ଦୁର୍ଦ୍ଧଷ ଇସ୍ରାଏଲ୍କୁ ଇରାନ୍ କେତେ ଦିନ ଯାଏ ମୁହଁତୋଡ୍ ଜବାବ ଦେବ, ତାହା ଆଗାମୀ ଦିନରେ ଜଣାପଡ଼ିଯିବ । ଏହିଠାରେ ଜଣାଇ ଦେଉଛୁ ଯେ ପାକିସ୍ତାନ ଆକାଶରେ ପଶି ଭାରତ ସେଠାକାର ଆତଙ୍କୀ ସଂଗଠନ ଉପରେ ମିସାଇଲ୍ ମାଡ଼ କରୁଥିବା ବେଳେ ଇରାନ୍ ପାକିସ୍ତାନ ସରକାରଙ୍କ ପ୍ରତି ଆହା ଚୁ ଚୁ କରିଥିଲା । ଭାରତ ସପକ୍ଷରେ ପଦୁଟେ କହି ନଥିଲା ।