ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ଗଞ୍ଜାମ ଜିଲ୍ଲାର ଆସିକା ଏବଂ ଚିକିଟିକୁ ମିଳିଲା ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର
ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି ।
ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର ନୂତନ ପିଢ଼ିର ସ୍ୱଚ୍ଛ ସହର ରୂପେ ମାନ୍ୟତା ଲାଭ କରିଛନ୍ତି । ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି । ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି ।
ଅଗଷ୍ଟ, ୨୦୨୫ରୁ ଆରମ୍ଭ ହେଉଥିବା ଏହି ୧ ବର୍ଷର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ପୁରୁଣା ବର୍ଜ୍ୟବସ୍ତୁ ପରିଚାଳନାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ନାହିଁ ବରଂ ବଡ଼ ସହରାଞ୍ଚଳ ସ୍ଥାନକୁ ମୁକ୍ତ କରିବାରେ ସାହାଯ୍ୟ କରିବ । ଏଥିସହିତ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ ।
ଅତିଥିମାନଙ୍କୁ ସ୍ୱାଗତ କରି ମନ୍ତ୍ରଣାଳୟର ସଚିବ ଶ୍ରୀ ଶ୍ରୀନିବାସ କଟିକିତାଲା ଗତ ଏକ ଦଶନ୍ଧି ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନର ରୂପାନ୍ତରଣକାରୀ ଯାତ୍ରା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ବର୍ତ୍ତମାନ ସ୍ୱଚ୍ଛତା ଓ ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏହା ନାଗରିକଙ୍କ ମୂଲ୍ୟବୋଧ ଏବଂ ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିଛି ।
ନାଗରିକଙ୍କ ମଧ୍ୟରେ ସ୍ୱଚ୍ଛତାର ସ୍ୱଭାବ ଏବଂ ସଂସ୍କାର ଆସିପାରିଛି । ଶେଷରେ ସେ କହିଥିଲେ, ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ସଫଳତାର ସହ ସମାପ୍ତ କରିସାରିଛି । ବର୍ତ୍ତମାନ କେବଳ ଆଗାମୀ ଦଶନ୍ଧି ପାଇଁ ଯୋଜନା କରିବାକୁ ପଡିବ ନାହିଁ, ବରଂ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଯୋଜନା ମଧ୍ୟ ସ୍ଥିର କରିବାକୁ ପଡିବ ।
ଏହି ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ଫଳାଫଳ ଡ୍ୟାସବୋର୍ଡ ଡିଜିଟାଲ ଭାବରେ ଶୁଭାରମ୍ଭ କରାଯାଇଥିଲା । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ର ପ୍ରମୁଖ ଆକର୍ଷଣ ଏବଂ ସୁପର ସ୍ୱଚ୍ଛ ଲିଗ୍ ସିଟିଗୁଡ଼ିକର ସଫଳତାଗୁଡ଼ିକୁ ଆକର୍ଷଣୀୟ ଅଡିଓ-ଭିଜୁଆଲ୍ ଉପସ୍ଥାପନା ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।