ଭୁବନେଶ୍ୱରରେ ଆଜି ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । କେନ୍ଦ୍ର ବିଜ୍ଞାନ ଓ କାରିଗରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମିଳିତ ଭାବେ ଉଦଘାଟନ କରିଛନ୍ତି ।
ସେବା ଦିବସର ବିଷୟବସ୍ତୁ – ‘‘ଜିଲ୍ଲା ଏବଂ ବ୍ଲକର ସମଷ୍ଟିଗତ ବିକାଶ ମାଧ୍ୟମରେ ଭାରତର ସାମାଗ୍ରିକ ବିକାଶ’’ ଅନୁରୂପ ରଖାଯାଇଛି । ସେ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରେ ପ୍ରତିବଦ୍ଧତା, ସହଯୋଗ ଏବଂ ଦକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇଥିଲେ ।
ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଶାସନରେ ଏକ ନୂତନ ଉଦାହରଣ ପ୍ରଦର୍ଶନ କରେ ଯେଉଁଠାରେ ଯୁବ ପ୍ରଶାସନିକ କର୍ମଚାରୀମାନେ ଚିନ୍ତାନାୟକ ଏବଂ ନବସୃଜନର ଉତପ୍ରେରକ ଭାବରେ ଉଭା ହେଉଛନ୍ତି । ଏହା ସାରା ଦେଶରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିଛି ।
ଉଦଘାଟନୀ ଅଧିବେଶନରେ ଦେଶବ୍ୟାପୀ ୪୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଏବଂ ପୁରସ୍କାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।
ଜିଲ୍ଲାପାଳ ଏବଂ ସଚିବଙ୍କ ସମେତ ୨୦ରୁ ଅଧିକ ବିଶିଷ୍ଟ ବକ୍ତା ପରିବର୍ତ୍ତନକାରୀ ମାମଲା ଅଧ୍ୟୟନ ଉପସ୍ଥାପନ କରୁଛନ୍ତି । ସେମାନେ ପ୍ରମୁଖ ସରକାରୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ହୋଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ମଧ୍ୟ ଉପସ୍ଥାପନ କରୁଛନ୍ତି ।
ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ଜାତୀୟ ଏବଂ ରାଜ୍ୟ ସ୍ତରର ସାଧାରଣ ପ୍ରଶାସନ ନେତାମାନଙ୍କୁ ଗୋଟିଏ ସମନ୍ୱିତ ମଞ୍ଚରେ ଏକତ୍ର କରି ସହଯୋଗୀ ଶିକ୍ଷା ଓ ସଂସ୍ଥାଗତ ନବସୃଜନର ଭାବନାକୁ ପ୍ରୋତ୍ସାହିତ କରିବା । ଏହା ସାଧାରଣ ସେବା ପ୍ରଦାନ, ଡିଜିଟାଲ୍ ପ୍ରଶାସନ, ନାଗରିକ ସମ୍ପୃକ୍ତି ଏବଂ ସମାବେଶୀ ବିକାଶରେ ବ୍ୟାପକ ଏବଂ ଅନୁକରଣଯୋଗ୍ୟ ମଡେଲଗୁଡ଼ିକୁ ପ୍ରଦର୍ଶନ କରିବ ।