ଆକ୍ସନ୍ ଡାଇରେକ୍ଟର ଶ୍ୟାମ କୌଶଲଙ୍କୁ ଜାଣନ୍ତି । ଅଭିନେତା ଭିକି କୌଶଲଙ୍କ ବାପା ଶ୍ୟାମ । ଇଂରାଜୀରେ ଏମ୍ଏ ପାସ କରିବା ପରେ ଶ୍ୟାମ ଚଳଚ୍ଚିତ୍ରରେ ନାୟକ ହେବାର ଜିଦ ଧରି ବାପାଙ୍କ ନିକଟରୁ ୩ ହଜାର ଟଙ୍କା ଉଧାର କରି ମୁମ୍ବାଇରେ ପାଦ ଦେଲେ ୧୯୭୮ ମସିହାରେ । ମୁମ୍ବାଇ ମହାନଗରୀରେ ମାସକୁ ୩୫୦ ଟଙ୍କା ବିନିମୟରେ ଗୋଟିଏ ସେଲ୍ସମ୍ୟାନ୍ ଚାକିରି କଲେ । ନିୟମିତ ଦୁଇଟି ବସ୍ ଓ ଗୋଟିଏ ଟ୍ରେନ ଚଢ଼ି ଚେମ୍ବୁରସ୍ଥିତ ଅଫିସରେ ପହଂଚୁଥିଲେ ।
ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନ ବାବଦକୁ ଟଙ୍କାଏ ଖର୍ଚ୍ଚ କରୁଥିଲେ । ସେତେବେଳେ ସାଧାରଣ ଲୋକଙ୍କ ପାଇଁ ସିଗାରେଟ୍ ସ୍ୱପ୍ନ ପ୍ରାୟ ଥିଲା । ୧୦ ପଇସାରେ ବିଡ଼ି ମିଳି ଯାଉଥିଲା । ପୋଷାକପତ୍ର କହିଲେ ଶ୍ୟାମଙ୍କ ପାଖରେ ଥିଲା ଦୁଇଟି ଟ୍ରାଉଜର ଓ ତିନୋଟି ସାର୍ଟ । ଚାଳଘରଟିଏ ଭଡ଼ାରେ ମିଳିବା କଷ୍ଟକର ବ୍ୟାପାର ଥିଲା । ତେଣୁ ଶ୍ୟାମ ଅଫିସରେ ରହି ଯାଉଥିଲେ । ମାତ୍ର ପୋଷାକ ବଦଳାଇବା ପାଇଁ ସାଙ୍ଗ ଘରକୁ ଯାଉଥିଲେ । ଚଳଚ୍ଚିତ୍ରରେ ସହଜରେ କାମ ନ ମିଳିବାରୁ ମନୋବଳ କ୍ରମେ ଦୁର୍ବଳ ହୋଇ ଯାଉଥିଲା । ଶ୍ୟାମ ଦୁଇଟି ନିଷ୍ପତି ନେଲେ, ପ୍ରଥମଟି ହେଲା ଆଉ କେବେ ଚାକିରି କରିବେନି । ଦ୍ୱିତୀୟଟି ହେଲା କେବେ ମୁମ୍ବାଇ ଛାଡ଼ିବେନି ।
୧୯୮୦ ମସିହାରେ ଶ୍ୟାମ ଏକାଧିକ ସାଙ୍ଗମାନଙ୍କ ନିକଟରୁ ୧ ହଜାର ଟଙ୍କା ଯୋଗାଡ଼ କରି ଷ୍ଟଂଟମ୍ୟାନ ଆସୋସିଏସନ୍ରେ ନାମ ପଞ୍ଜିକରଣ କଲେ । ପରେ ପରେ ଶ୍ୟାମ ଫାଇଟ୍ ଡାଇରେକ୍ଟର ବୀରୁ ଦେବଗନଙ୍କ ସଂସ୍ପର୍ଶରେ ଆସିଲେ । ଶ୍ୟାମଙ୍କ ଦକ୍ଷତା ମାପିବା ପରେ ବୀରୁ ତାଙ୍କୁ ପାଖରେ ରଖିଲେ । ବୀରୁଙ୍କ ବ୍ୟାଗ ବୋହିବା ଠାରୁ ଆରମ୍ଭ କରି ଚା’ କପ୍ ଧୋଇବା ପର୍ଯ୍ୟନ୍ତ ଶ୍ୟାମଙ୍କୁ କରିବାକୁ ପଡୁଥିଲା । କ୍ରମେ ବୀରୁ ତାଙ୍କର ଫାଇଟ୍ ଦୃଶ୍ୟରେ ଶ୍ୟାମକୁ ବ୍ୟବହାର କଲେ । କିଛି ଦିନ ପରେ ଶ୍ୟାମ ପପୁ ବର୍ମାଙ୍କୁ ଭେଟିଲେ । ପପୁଙ୍କ ଅଧିନରେ କିଛି ଦିନ କାମ କଲେ ।
୧୯୮୩ ମସିହାରେ ସନି ଦେଓଲଙ୍କ ଅଭିନୀତ ‘ବେତାବ୍’ରେ ଷ୍ଟଂଟ୍ ପ୍ରଦର୍ଶନ କରି ପାରିଶ୍ରମିକ ବାବଦକୁ ଶ୍ୟାମ ୫୦୦ ଟଙ୍କା ପାଇଲେ । ତା’ ପରଠାରୁ ତାଙ୍କୁ ଆଉ ପଛକୁ ଅନାଇବାକୁ ପଡ଼ିନି । ଚଳଚ୍ଚିତ୍ର ଦୁନିଆରେ ଜଣେ ଷ୍ଟଂଟ୍ ମ୍ୟାନ୍ ଭାବେ ତାଙ୍କର ପରିଚୟ ସୃଷ୍ଟି ହେଲା । ‘ଲକ୍ଷ୍ୟ’ ଚଳଚ୍ଚିତ୍ର ପାଇଁ ଲଦାଖ ଯାଇ ସେଠାରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହେଲେ । ଆର୍ମି ହସ୍ପିଟାଲରେ ତାଙ୍କର ତଳିପେଟରେ ବଡ଼ ଧରଣର ଅପରେସନ୍ କରାଗଲା । ଡାକ୍ତରମାନେ ତାଙ୍କୁ ସବୁଦିନ ପାଇଁ ଷ୍ଟଂଟ୍ ସୋ’ ଛାଡ଼ିବାକୁ ପରାମର୍ଶ ଦେଲେ । ବିଚରା ଶ୍ୟାମ କରିବେ କ’ଣ? ଷ୍ଟଂଟ୍ ଛାଡ଼ିଦେଲେ ପିଲାଙ୍କ ପେଟକୁ ଦାନା ଦେବେ କେମିତି? ଘର ଚଳିବ କିପରି? ଠାକୁରଙ୍କ ନିକଟରେ ପ୍ରାର୍ଥନା କରି ସବୁ ଜଣାଇଲେ, ‘ପ୍ରଭୁ, ଅତି କମ୍ରେ ୧୦ ବର୍ଷ କାମ କରିବାର ଶକ୍ତି ଦିଅନ୍ତୁ । ପିଲାମାନେ ବଡ଼ ହୋଇଗଲେ, କାମ କରିବିନି ।’ ଏତିକି କହି ଶ୍ୟାମ ଚଳଚ୍ଚିତ୍ରରେ ପୂର୍ବଭଳି ଷ୍ଟଂଟ୍ ପ୍ରଦର୍ଶନ କଲେ । ଦିନ ପରେ ଦିନ ଗଡ଼ିଚାଲିଲା ।
ସେଦିନର ସେହି ଶ୍ୟାମ କୌଶଲ ଆଉ କେହି ନୁହନ୍ତି । ଅଭିନେତା ଭିକି କୌଶଲ ଓ ସନି କୌଶଲଙ୍କ ବାପା । ତାଙ୍କ ବୋହୂ ହେଉଛନ୍ତି କାଟ୍ରିନା କୈଫ । ନିକଟରେ ମୁକ୍ତିଲାଭ କରିଥିବା ଭିକିଙ୍କ ଅଭିନୀତ ‘ଚ୍ଛାବା’ ୮୦୭ କୋଟି ୮୮ ଲକ୍ଷ ଟଙ୍କାର ବେପାର କରିଚି । ଏକଦା ବୀରୁଙ୍କ ପାଖରେ ବିନା ପାରିଶ୍ରମିକରେ କାମ କରୁଥିଲେ ଶ୍ୟାମ । ଆଜି ତାଙ୍କ ପୁଅ ଭିକି ବୀରୁ ଦେବଗନଙ୍କ ପୁଅ ଅଜୟଙ୍କ ପ୍ରତିଦ୍ୱନ୍ଦ୍ୱୀ ।