ଶିକ୍ଷୟିତ୍ରୀଙ୍କ ଆଚରଣକୁ ସହି ପାରିଲେନି ଛାତ୍ରୀ, ବିଷ ପିଇଦେଲେ

ଦଶମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଆଚରଣରେ ଅପମାନ ବୋଧ କରି ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଖେଳିଗଲା ପରେ ଅଡୁଆରେ ପଡ଼ିଯାଇଛି ଜିଲ୍ଲା ପ୍ରଶାସନ । ସୂଚନା ଅନୁସାରେ ତ୍ରିପୁରାସ୍ଥିତ ସୋନାପୁର ହାୟାର ସେକେଣ୍ଡାରୀ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ତ୍ରିଷା ମଜୁମଦାର ଜଣେ ମେଧାବୀ ଛାତ୍ରୀ ଥିଲେ ।

ସବୁ ପ୍ରଶ୍ନର ସଠିକ ଉତର ଲେଖିଥିବା ସତ୍ୱେ ବାୟୋଲୋଜି ଶିକ୍ଷୟିତ୍ରୀ ବୀଣା ଦାସ ପଟାରୀ ଉତର ଖାତାଟିକୁ ତାଙ୍କ ଉପରକୁ ଫୋପାଡ଼ିଥିଲେ । ଅନ୍ୟ ପିଲାଙ୍କ ଆଗରେ ଅପମାନିତ କରିଥିଲେ । ଶିକ୍ଷୟିତ୍ରୀଙ୍କ ଆଚରଣକୁ ସହି ନପାରି ତ୍ରିଷା ଘରକୁ ଫେରିବା ପରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ।
ପରିବାର ଲୋକ ପ୍ରଥମେ ତ୍ରିଷାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତ୍ରିଷାଙ୍କ ହାଲତ ନ ସୁଧୁରିବାରୁ ତାଙ୍କୁ ଅଗରତାଲା ଜିବି ହସ୍ପିଟାଲକୁ ନିଆଗଲା । ମାତ୍ର ତାଙ୍କୁ ବଂଚାଇବା ସମ୍ଭବ ହେଲାନି ।

ମୃତ ତ୍ରିଷାଙ୍କ ପରିବାର ନିକଟରୁ ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରିଛି । ତ୍ରିଷାଙ୍କ ବାପା ଜଣେ ସାଧାରଣ କୃଷକ । ଡାକ୍ତରଖାନାରୁ ଝିଅର ମୃତଦେହକୁ ଧରି ଗ୍ରାମକୁ ଯିବା ପାଇଁ ତାଙ୍କ ନିକଟରେ ଟଙ୍କା ନଥିଲା । କଂଗ୍ରେସ ବିଧାୟକ ସୁଦୀପ ରାୟ ବର୍ମନ ଡାକ୍ତରଖାନାରେ ପହଂଚି ପୀଡ଼ିତ ପରିବାରକୁ ଆର୍ଥିକ ସହାୟତା କରିଥିଲେ ।