ବାବା ବୈଦ୍ୟନାଥଙ୍କ ପୀଠରେ ପାଣି ଲାଗି କରି ଫେରୁଥିଲେ କାଉଡ଼ିଆ । ଗାଡ଼ି ଚଳାଉ ଚଳାଉ ଚାଳକଙ୍କ ଆଖି ଲାଗିଗଲା । ସମୟ ଭୋର ସାଢ଼େ ଚାରିଟା । ବାବା ବୈଦ୍ୟନାଥଙ୍କ ପୀଠରୁ କାଉଡ଼ିଆଙ୍କୁ ଧରି ଫେରୁଥିବା ଘରୋଇ ବସ୍ଟି ଝାଡ଼ଖଣ୍ଡ ରାଜ୍ୟ ଦେଓଘର ଜିଲ୍ଲା ମୋହନପୁର ବ୍ଲକ ଅନ୍ତର୍ଗତ ଜାମୁନିଆ ଜଙ୍ଗଲ ଅଂଚଳରେ ଗୋଟିଏ ସିଲିଣ୍ଡର ବୋଝେଇ ଟ୍ରକକୁ ପିଟିବା ପରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଇଟା ତିଆରି ବାଡାକୁ ଭାଙ୍ଗି ପ୍ରାୟ ୫୦୦ ମିଟର ଘାଟି ତଳକୁ ଖସି ପଡ଼ିଲା । କେହି କିଛି ଜାଣିବା ପୂର୍ବରୁ ଚାଳକଙ୍କ ସମେତ ୬ ଜଣଙ୍କ ଜୀବନ ଚାଲିଗଲା । ବହୁ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା । ଡାକ୍ତରଖାନା ଯିବା ବାଟରେ କିଛି କାଉଡ଼ିଆଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।
୩୨ ଆସନ ବିଶିଷ୍ଟ ବସ୍ଟିରେ ଆବଶ୍ୟକଠାରୁ ଅଧିକ କାଉଡ଼ିଆ ଥିଲେ । କାଉଡ଼ିଆଙ୍କୁ ଧରି ବସ୍ଟି ବାସୁକିନାଥଙ୍କ ନିକଟକୁ ଯାଉଥିଲା ବୋଲି ଚିକିତ୍ସାଧୀନ କାଉଡ଼ିଆ କହିଛନ୍ତି ।
କିଛି କାଉଡ଼ିଆଙ୍କ ମତରେ ବସ୍ଟି ନିୟନ୍ତ୍ରଣ ହରାଉଥିବା ଆଶଙ୍କା କରି କିଛି କାଉଡ଼ିଆ ବଡ଼ପାଟିରେ ଚାଳକଙ୍କୁ ଡାକ ପକାଇଥିଲେ । ଚାଳକ ଜଣକ ଉଠିଲା ବେଳକୁ ବସ୍ଟି ଟ୍ରକକୁ ପିଟି ସାରିଲାଣି । ଗ୍ୟାସ୍ ଭର୍ତି ସିଲିଣ୍ଡର ବୋଝେଇ ଟ୍ରକକୁ ବସ୍ଟି ପିଟିଥିଲେ ମଧ୍ୟ ଟ୍ରକଟି ଅକ୍ଷତ ଅବସ୍ଥାରେ ଥିଲା ।