ବିରାଟ କୋହଲିଙ୍କୁ ପଛରେ ପକାଇବା ମଉକାରେ ୱାର୍ଣ୍ଣର

ରନ୍ ସଂଗ୍ରହ କରିବା ଦିଗରେ ଭାରତର କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇବା ପାଇଁ ଡେଭିଡ୍ ୱାର୍ଣ୍ଣରଙ୍କୁ ବଢ଼ିଆ ସୁଯୋଗଟିଏ ମିଳିଯାଇଛି । ଦଳକୁ ଜିତାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ବ୍ୟକ୍ତିଗତ ସ୍ତରରେ ସର୍ବାଧିକ ରନ୍ ସାଉଁଟିବା ୱାର୍ଣ୍ଣରଙ୍କର ଏକମାତ୍ର ଲକ୍ଷ୍ୟ ।

ୱାର୍ଣ୍ଣର ଏବେ ଇଂଲଣ୍ଡରେ ଦି ହଣ୍ଡ୍ରେଡ୍ ଲିଗ୍ ଖେଳୁଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ଡେଭିଡ୍ ୱାର୍ଣ୍ଣର ଲଣ୍ଡନ ସ୍ପିରିଟ୍ ପାଇଁ ଖେଳୁଛନ୍ତି । ସେ ମାଂଚେଷ୍ଟର ଓରିଜିନାଲ ବିପକ୍ଷରେ ସୁନ୍ଦର ବ୍ୟାଟିଂ କରିଛନ୍ତି । କେନ୍ ୱିଲିୟମସନ୍‌ଙ୍କ ସହିତ ଓପନିଂ ଯୋଡ଼ିଦାର ଭାବେ ମଇଦାନକୁ ଓହ୍ଲାଇ ୱାର୍ଣ୍ଣର ବ୍ୟକ୍ତିଗତ ଭାବେ ୭୧ ରନ୍ କରିଛନ୍ତି । ୱାର୍ଣ୍ଣର ୫୧ଟି ବଲକୁ ସାମ୍ନା କରି ୧୨ଟି ଚୌକା ଓ ଗୋଟିଏ ଛକା ବଳରେ ୭୧ ରନ୍ ହାସଲ କରିଥିଲେ । ଦମଦାର ବ୍ୟାଟିଂ କରିଥିଲେ ମଧ୍ୟ ୱାର୍ଣ୍ଣର ଦଳକୁ ଜିତାଇ ପାରି ନଥିଲେ । ଲଣ୍ଡନ ସ୍ପିରିଟ୍ ୧୦ ରନ୍ ବ୍ୟବଧାନରେ ମାଂଚେଷ୍ଟର ନିକଟରୁ ହାରିଗଲା ।

ଦଳକୁ ଜିତାଇ ନପାରିଲେ ୱାର୍ଣ୍ଣରଙ୍କର ଚିନ୍ତା ନାହିଁ । ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି, ତା’ ହିଁ ତାଙ୍କ ପାଇଁ ବଡ଼କଥା । ଦି ହଣ୍ଡ୍ରେଡ’ ରେକର୍ଡକୁ ଟି-୨୦ ରେକର୍ଡ ଭିତରେ ଗଣାଯାଉଛି । ସେହି ଦୃଷ୍ଟିରୁ ୱାର୍ଣ୍ଣର ଟି-୨୦ ଫର୍ମାଟ୍‌ରେ ବିରାଟ କୋହଲିଙ୍କ ତୁଳନାରେ ଅଧିକ ରନ୍ କରିଛନ୍ତି । ଟି-୨୦ ଫର୍ମାଟ୍‌ରେ ବିରାଟଙ୍କ ରେକର୍ଡ ହେଉଛି ୧୩୫୪୩ ରନ୍ । ଏବେ ୱାର୍ଣ୍ଣରଙ୍କ ଟି-୨୦ ରନ୍ ହାର ୧୩୫୪୫ । ୟାକୁ ବାଦ ଦେଲେ, ୱାର୍ଣ୍ଣର ବିରାଟଙ୍କୁ ସବୁଠାରୁ ଅଧିକ ରନ୍ ହାସଲକାରୀ ପ୍ରଥମ ୫ଟି କ୍ରିକେଟରଙ୍କ ତାଲିକାରୁ ବାହାର କରି ଦେଇଛନ୍ତି ।