ଜାଗ୍ରତ ହୁଅ ଜନତା: ଜଗୁଆଳି ସବୁ ଲୁଟୁଛି
ଦୁର୍ନୀତି ଓ ଭ୍ରଷ୍ଟାଚାର ମୂଳରେ ପାଣି ଓ ସାର ଅଜାଡୁଚନ୍ତି ମୁଖ୍ୟମନ୍ତ୍ରୀ
‘ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ’ ଖବରରେ ବୋର୍ଡରେ କାର୍ଯ୍ୟରତ ପୂର୍ବତନ କର୍ମଚାରୀ ଜିତେନ ମହାରଣା ଓ ପୂର୍ବତନ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସନ୍ଦେହଜନକ କାର୍ଯ୍ୟକୁ ଦୈନିକ ଖବର କାଗଜରେ ବର୍ଣ୍ଣନା କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନାରେ ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ କାରଣରୁ ପରୀକ୍ଷାକୁ ବାତିଲ କରି ଦିଆଗଲା । ଅଭିଯୁକ୍ତ ବ୍ୟକ୍ତିଙ୍କ ହୀନ କାମ ପାଇଁ କ୍ଷମତାସୀନ ସରକାର ବଦନାମ ହେଲେ, ମାଧ୍ୟମିକ ଶିକ୍ଷା ବୋର୍ଡ କଳଙ୍କର ଟୀକା ପିନ୍ଧିଲା । ଯୋଉ ଶିକ୍ଷକ ସମାଜ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନଯାପନ ସଂପର୍କରେ ଉପଦେଶ ଦେଉଥିଲେ, ସେହି ଶିକ୍ଷକ ସମାଜ ଭିତରୁ ଜଣେ ବିଜୟ ମିଶ୍ର ସାମାନ୍ୟ କେଇଟା ଟଙ୍କା ପାଇଁ ଗୁରୁମନ୍ତ୍ରକୁ ଭୁଲିଗଲେ ।
ଆମେ କେବଳ ଗୁରୁ ସମାଜକୁ ଦାୟୀ କଲେ ଚଳିବନି । ମାଧ୍ୟମିକ ଶିକ୍ଷା ବୋର୍ଡକୁ ଦାୟୀ କଲେ ଚଳିବନି । କିଛି ମାସ ତଳେ ରାଜ୍ୟ ସରକାରଙ୍କ ପଂଚାୟତ ବିଭାଗ ପକ୍ଷରୁ ରାସନ୍ କାର୍ଡ ଫେରାଇବାକୁ ହିତାଧିକାରୀଙ୍କୁ ତାଗିଦ କରାଯାଇଥିଲା । ନିର୍ଦ୍ଦିଷ୍ଟ ତାରିଖ ଭିତରେ ରାସନ୍ କାର୍ଡ ଦାଖଲ ନକଲେ, ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବେ ବୋଲି ଧମକ ଦେଇଥିଲେ । ନିଆଁ ନଥାଇ ଧୂଆଁ ବାହାରିବା ଆଦୌ ସମ୍ଭବ ନୁହେଁ ।
ରାସନ କାର୍ଡଟିଏ ପାଇବା ପାଇଁ ଆବେଦନ କରିଥିବା ଲୋକଙ୍କ ଭିତରୁ ଯୋଗ୍ୟ ଅଯୋଗ୍ୟ ହିତାଧିକାରୀ ଚୟନ କରିବା କାମ କାହାର? ହିତାଧିକାରୀ ଚୟନ ଦାୟିତ୍ୱରେ ରହିଥିବା ସରକାରୀ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକଳାପ କାରଣରୁ ଯଦି କିଛି ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇ ରାସନ୍ କାର୍ଡ ଧରାଇ ଦିଆଯାଏ, ତେବେ ସେଥିପାଇଁ କାହାକୁ ଦାୟୀ କରାଯିବା ଦରକାର ।
ରାଜ୍ୟର ବିଜେପି ସରକାର ସୁଭଦ୍ରା ହିତାଧିକାରୀଙ୍କୁ ମାଲାମାଲ କରିବାକୁ ଯାଇ ରାସନ୍ କାର୍ଡ ହାସଲ କରିଥିବା ଲୋକଙ୍କ ଭିତରୁ ଯୋଗ୍ୟ ଅଯୋଗ୍ୟ ବାଛିବାର ଅପଚେଷ୍ଟା ବନ୍ଦ କରନ୍ତୁ । ଏବେ ସୁଦ୍ଧା ରାସନ କାର୍ଡ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି, ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଉଛି ।
ସତକଥା ହେଉଛି, ସରକାରୀ ବିଭାଗର ଉଚ୍ଚ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗ ବିନା ଜଣେ ସାଧାରଣ ଲୋକ କୌଣସି ମତେ ରାଜକୋଷରୁ ଟଙ୍କାଟିଏ ଲୁଟି ପାରିବନି । ରାଜ୍ୟରେ ଚାଲିଥିବା ସବୁ କଲ୍ୟାଣକାରୀ ଯୋଜନାରେ ଦୈନିକ ଲକ୍ଷାଧିକ ଟଙ୍କା ବାଟମାରଣା ହେଉଛି । ସବୁ ବିଭାଗର ମନ୍ତ୍ରୀ ଓ ଉଚ୍ଚ ଅଧିକାରୀମାନଙ୍କ ଜାଣତରେ ରାଜକୋଷକୁ ଖୋଳ କରାଯାଉଛି । ସାଧାରଣ ଜନତା କେବଳ ଜଳକା ଭଳି ଅନାଇ ରହିଛନ୍ତି, କାହା ଆଗରେ ଗୁହାରି କରିବେ । ଏଠି ଜଗୁଆଳି ସବୁ ଲୁଟୁଛି ।