ମେଟ୍ରୋ କାନ୍ଥରେ ବିଦେଶୀ ନାଗରିକଙ୍କ ହରକତ

ଦିଲ୍ଲୀରେ ବିଦେଶୀ ନାଗରିକଙ୍କ ନାନା ହରକତ ଏବେ ପ୍ରଶାସନକୁ ଚିନ୍ତାରେ ପକାଇଛି । ଦିଲ୍ଲୀ ମେଟ୍ରୋ ଷ୍ଟେସନ କାନ୍ଥ ଉପରେ ଦୁଇଜଣ ବିଦେଶୀ ନାଗରିକ ବିବାଦୀୟ ଚିତ୍ର ଆଙ୍କିଛନ୍ତି । ଦୁଇଜଣ ସ୍ପେନ୍ ନାଗରିକ ଦିଲ୍ଲୀସ୍ଥିତ ଯମୁନା ଘାଟ ମେଟ୍ରୋ ରହଣି ସ୍ଥଳକୁ ବିନା ଅନୁମତିରେ ପ୍ରବେଶ କରି ସେଠାକାର କାନ୍ଥରେ ଗୁଡ଼ାଏ ବିଚିତ୍ର ଚିତ୍ର ଅଙ୍କନ କରିଛନ୍ତି ।

ମେଟ୍ରୋ ଅଧିକାରୀ କହିଛନ୍ତି, ଜୁଲାଇ ୨୪ ତାରିଖ ଦିନ ମେଟ୍ରୋ କର୍ମଚାରୀମାନେ ମେଟ୍ରୋ ଡିପୋ ଓ ମେଟ୍ରୋ କୋଚ୍ ଉପରେ ବିଚିତ୍ର ଚିତ୍ର ଅଙ୍କନ କରାଯାଇଥିବା ଦେଖିଥିଲେ । ମେଟ୍ରୋ ଅଧିକାରୀ ସେ ସଂପର୍କରେ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ । ତହୁଁ ପୁଲିସ ପ୍ରାଥମିକ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ ଜୁଲାଇ ୨୩ ଅବା ୨୪ ତାରିଖ ରାତିରେ ଦୁଇଜଣ ବିଦେଶୀ ଲୋକ ଗୋଟିଏ ଦଉଡ଼ି ସାହାଯ୍ୟରେ ମେଟ୍ରୋ ଡିପୋର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରୀ ଚଢ଼ି ଭିତରକୁ ପଶିଥିଲେ । ଉଭୟ ବିଦେଶୀ ସେଠାରେ ପ୍ରାୟ ୫ ଘଂଟା କାଳ ରହିଥିଲେ, ତାରି ଭିତରେ ସେମାନେ ଡିପୋ କାନ୍ଥ ଓ ମେଟ୍ରୋ ଉପରେ ବିବାଦୀୟ ଚିତ୍ର ଅଙ୍କନ କରିଥିଲେ । ଦୁଇ ସ୍ପେନୀୟ ପାହାଡଗଞ୍ଜରେ ଅବସ୍ଥିତ ଏକ ହୋଟେଲରେ ରହୁଥିଲେ ।