ଡ୍ରେସିଂ ରୁମ୍ ଭିତରେ ବାହାରେ ଆଉ ମିଳିବେନି ରାଜୀବ କୁମାର

ଡ୍ରେସିଂ ରୁମ ଭିତରେ ବାହାରେ ଆଉ ରାଜୀବ କୁମାରଙ୍କୁ ଦେଖିବାକୁ ମିଳିବନି । ବିସିସିଆଇ ସହିତ ତାଙ୍କର ବୁଝାମଣା ଶେଷ ହୋଇଯାଇଛି । ଯେତିକି ଦିନ ପାଇଁ ସେ ବିସିସିଆଇ ସେବା କରିବାକୁ ସଂକଳ୍ପ କରିଥିଲେ, ତା’ ପୂରଣ ହୋଇଯିବା ପରେ ରାଜୀବ କୁମାର ଫେରି ଯାଇଛନ୍ତି ତାଙ୍କ ଘରକୁ ।

ମଇଦାନରେ ଖେଳାଳିଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାମ । ଏଭଳି କାମକୁ ନିଷ୍ଠାପର ସହିତ ତୁଲାଇ ପାରୁଥିବା ଲୋକମାନଙ୍କୁ ମାମୁଲି ମଣିବା ଅନୁଚିତ । ଖେଳାଳିଙ୍କ ମନରେ ସାହସ, ଧୈର୍ଯ୍ୟ ଭରିଦେବା ସହିତ ଖେଳାଳିଙ୍କ ଶରୀରକୁ ମଇଦାନରେ ଫିଟ୍ ରଖିବା କାମ ଭାରି କଷ୍ଟକର । ସେଭଳି କାମକୁ ଜୀବନର ବ୍ରତ ରୂପେ ପାଳନ କରି ଆସୁଥିବା ଜଣେ ମହାନ ଚରିତ୍ର ଟିମ୍ ଇଣ୍ଡିଆ ଛାଡ଼ିଛନ୍ତି ।

ମଇଦାନରେ ବ୍ୟାଟିଂ ବୋଲିଂ ଫିଲ୍ଡିଂ ସମୟରେ କୌଣସି ଖେଳାଳି ଆଘାତ ପାଇଲେ, ସେମାନଙ୍କୁ ଆଶୁ ଚିକିତ୍ସା ସେବା ଯୋଗାଣ ଓ ପୁଣି ମଇଦାନକୁ ପଠାଇବା ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି ରାଜୀବ କୁମାର । ରାଜୀବ କୁମାର ଏଭଳି ଜଣେ ବ୍ୟକ୍ତି ଯେ ଦୀର୍ଘଦିନ ଧରି କ୍ରିକେଟ୍ ପ୍ରତି ସମର୍ପିତ ଥିଲେ । ଖେଳାଳିଙ୍କ ପ୍ରତି ସମର୍ପିତ ଥିଲେ । ମଇଦାନରେ କୌଣସି ଖେଳାଳି ଅସୁସ୍ଥ ହୋଇଗଲେ, ରାଜୀବ କୁମାର ତାଙ୍କର ହାତଗୋଡ଼ର ମାଂସପେଶୀକୁ ପୁଣି ସକ୍ରିିୟ କରି ଦେଉଥିଲେ । ହାଲିଆ ହୋଇ ଯାଉଥିଲେ, ଖେଳାଳିଙ୍କ ହାତକୁ ବଢ଼ାଇ ଦେଉଥିଲେ ଭିଟାମିନ୍ ପାନୀୟ ।

ଖେଳାଳିଙ୍କୁ ଶକ୍ତିବର୍ଦ୍ଧକ ପାନୀୟ, ପୁଷ୍ଟିକର ବ୍ରେଡ୍, ତାତିରୁ ତ୍ରାହି ମିଳିବା ଭଳି ମିକ୍ସେସ୍ ଯୋଗାଉ ଥିବା ଭିତରେ ତାଙ୍କର ଅବସର ନେବାର ସମୟ କେବେ ନିକଟତର ହୋଇଗଲା, ଜାଣି ପାରିଲେନି ରାଜୀବ କୁମାର । ବିସିସିଆଇ ନିକଟରୁ ବିଦାୟ ନେଇ ରାଜୀବ ଆଦୌ ଦୁଃଖିତ ନୁହନ୍ତି । ଭଗବାନଙ୍କ ନିକଟରେ ବିସିସିଆଇର ମଙ୍ଗଳ କାମନା କରିଛନ୍ତି । ବିସିସିଆଇ ନିକଟରେ କୃତଜ୍ଞତା ଜଣାଇଚନ୍ତି ।

ମଇଦାନରେ ଖେଳାଳିଙ୍କ ଉପସ୍ଥିତି ଯେତିକି ଜରୁରୀ ଥିଲା, ରାଜୀବ କୁମାରଙ୍କ ଉପସ୍ଥିତି ସେତିକି ଜରୁରୀ ଥିଲା । ରାଜୀବ କୁମାରଙ୍କୁ ମଇଦାନ ନିକଟରେ ଦେଖିବା ମାତ୍ରେ ଖେଳାଳିଙ୍କ ମୁହଁରେ ଖେଳି ଯାଉଥିଲା ଏକ ବିଶ୍ୱାସ ଓ ଭରସାର ହସ । ରାଜୀବ କୁମାର ଅଛନ୍ତି ମାନେ କିଛି ଚିନ୍ତା କରିବାର ନାହିଁ, ଖେଳ ଶେଷ ପର୍ଯ୍ୟନ୍ତ ମଇଦାନରେ ରହିପାରିବି ଓ ଆରାମରେ ଖେଳି ପାରିବି, ଏମିତି ଏକ ଦୃଢ଼ ମନୋବଳ ପ୍ରତି ଖେଳାଳିଙ୍କ ମନରେ ଭରି ଯାଉଥିଲା ।

ଶାରୀରିକ ଗଢ଼ଣ ଦୃଷ୍ଟିରୁ ରାଜୀବ କୁମାର ବେଶ ହୃଷ୍ଟପୁଷ୍ଟ । କୋଉ ଖେଳାଳିଙ୍କ ମନକୁ କେମିତି ଖୁସି କରି କିଭଳି କାମ ଆଦାୟ କରାଯାଇପାରିବ, ସେ ମନ୍ତ୍ରଟି ରାଜୀବ କୁମାରଙ୍କୁ ମାଲୁମ ଥିଲା । କୁମାରଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆର ପ୍ରତି ଖେଳାଳି ଅନୁଭବ କରିବେ । ଦୀର୍ଘ ଦଶନ୍ଧି ଧରି ତାଙ୍କର ନିଷ୍ଠାପର ସେବାକୁ ଝୁରି ହେଉଥିବ ବିସିସିଆଇ ।