ସେପ୍ଟେମ୍ବର ୧୭ ତାରିଖ: ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଦିନ କରନ୍ତୁନି ଏହି ଭୁଲ, ଭାରି ପସ୍ତାଇବେ
ସେପ୍ଟେମ୍ବର ୧୭ ତାରିଖ ଦିନ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଧରାବତରଣ ଦିନ ।
ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଦିନ ଶଶୁରଙ୍କୁ ମନଲାଖି ଜିନିଷଟିଏ ଉପହାର ଦିଅନ୍ତୁ, ଆପଣଙ୍କ ଜୀବନଟା ମଧୁରମୟ ହୋଇଯିବ । ଶଶୁରଙ୍କ ଆଶୀର୍ବାଦ ଆପଣଙ୍କୁ ସବୁ ବାଧାବିଘ୍ନରୁ ରକ୍ଷା କରିବ । ଆପଣଙ୍କ ଜୀବନରେ ଖୁସି ଭରିଦେବ ।
ଆଶ୍ୱିନ ମାସ ସଂକ୍ରାନ୍ତି ଦିନ ଦେବଶିଳ୍ପୀ ବିଶ୍ୱକର୍ମା ଧରଣୀରେ ଅବତୀର୍ଣ୍ଣ ହୋଇ ପେସାଦାର ଲୋକଙ୍କ ପୂଜାପାଠ ଗ୍ରହଣ କରନ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତି ।
ଏହିଦିନ ଗ୍ରହରାଜା ସୂର୍ଯ୍ୟଦେବ କନ୍ୟାରାଶିରେ ପ୍ରବେଶ କରନ୍ତି । ଚଳିତ ବର୍ଷ ସୂର୍ଯ୍ୟଦେବ ୧୬ ତାରିଖ ଦିନ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍ ରେ କନ୍ୟାରାଶିରେ ପ୍ରବେଶ କରୁଛନ୍ତି । ଭଗବାନ ବିଶ୍ୱକର୍ମାଙ୍କ ପ୍ରତି ସବୁ ଦେବାଦେବୀଙ୍କ ମନରେ ଅପାର ଭକ୍ତି ରହିଛି ।
ସୃଷ୍ଟି ସର୍ଜନା ସମୟର କଥା । ପୃଥିବୀର ଆକାର କିଭଳି କରାଯିବ, ସେଇ କଥା ଭାବି ହେଉଥିଲେ ପ୍ରଜାପିତା ବ୍ରହ୍ମଦେବ, ପ୍ରଭୁ ନାରାୟଣ ଓ ସଦାଶିବ । ତ୍ରିଦେବଙ୍କୁ ଚିନ୍ତାରେ ଦେଖି ପ୍ରକଟ ହେଲେ ବିଶ୍ୱକର୍ମା । ଭଗବାନ ବିଶ୍ୱକର୍ମା ପୃଥିବୀକୁ ଆକାର ପ୍ରଦାନ କରିଥିଲେ ।
ବିଶ୍ୱକର୍ମାଙ୍କ ଆଉ ଏକ ପରିଚୟ ହେଉଛି ସେ ସୂର୍ଯ୍ୟଦେବଙ୍କ ଶଶୁର । ବିଶ୍ୱକର୍ମାଙ୍କ ଝିଅ ସୂର୍ଯ୍ୟଦେବଙ୍କ ବିରାଟ ଆକାର ଓ ମହାତେଜ କାରଣରୁ ସଂସାର କରିବାକୁ ଭୟ କଲେ । ତହୁଁ ବିଶ୍ୱକର୍ମା ସୂର୍ଯ୍ୟଦେବଙ୍କ ଆକାର ଛୋଟ କରିଥିଲେ ।
ବିଶ୍ୱକର୍ମା ଦେବାଦେବୀଙ୍କ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଛନ୍ତି । ରାକ୍ଷସ ବୃତ୍ତାସୁରକୁ ମାରିବା ପାଇଁ ମହର୍ଷି ଦଧିଚୀଙ୍କ ଅସ୍ଥି ଦରକାର ପଡ଼ିଲା । ବିଶ୍ୱକର୍ମା ଦଧିଚୀଙ୍କ ଅସ୍ଥିକୁ ନେଇ ଦେବରାଜ ଇନ୍ଦ୍ରଙ୍କ ପାଇଁ ବଜ୍ର ତିଆରି କରିଥିଲେ ।
ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ଦ୍ୱାରକା ନଗରୀ ନିର୍ମାଣ କରିଥିଲେ । ଆଜିର ଦୁନିଆରେ ଚଳିବା ପାଇଁ ଯାହା ଯାହା ଉପକରଣ ଦରକାର, ସେସବୁର ଜନକ ବିଶ୍ୱକର୍ମା ।
ପ୍ରଜାପିତା ବ୍ରହ୍ମଦେବ ପ୍ରାଣୀଙ୍କୁ ସୃଷ୍ଟି କରିଛନ୍ତି, କିନ୍ତୁ ସେମାନଙ୍କ ପାଇଁ ଘର, ଘରକରଣା ଜିନିଷ, ପୋଷାକପତ୍ର, ବାସନ କୁସନ ପ୍ରଭୃତିର ଜନକ ଭଗବାନ ବିଶ୍ୱକର୍ମା ।
ପ୍ରଭୁ ବିଶ୍ୱକର୍ମାଙ୍କ ପ୍ରତିମା ଆଗରେ ଉପକରଣ ରଖିବା ପୂର୍ବରୁ ସେଗୁଡ଼ିକୁ ସଫା କରନ୍ତୁ । ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଉପକରଣ ପୂଜା କରନ୍ତୁ । ସବୁ ଉପକରଣ ଉପରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ ।
ଯାନବାହନକୁ ପ୍ରଥମେ ମରାମତି କରି ନିଅନ୍ତୁ । ଧୁଆଧୋଇ କରି ପୂଜାର୍ଚ୍ଚନା କରନ୍ତୁ । ଯାନବାହନ ଉପରେ ସିନ୍ଦୁରରେ ସ୍ୱସ୍ତିକ କରନ୍ତୁ । ପୂଜା ସାରିବା ପରେ ଗାଡ଼ିକୁ ଷ୍ଟାର୍ଟ କରନ୍ତୁ ।
ବିଶ୍ୱକର୍ମାଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ, ମୋ ଗାଡ଼ି ରାସ୍ତା ଉପରେ ମୋତେ ଧୋକା ନଦେଉ । ଏହି ଆଶୀର୍ବାଦ ଦିଅନ୍ତୁ ।
ବିଶ୍ୱକର୍ମା ପୂଜାଦିନ କଳକାରଖାନାର ମେସିନଗୁଡ଼ିକ ଚଲାନ୍ତୁ ନାହିଁ । ପରଦିନ ପୂଜା କରିବା ପରେ ମେସିନ୍ ଚାଲୁ କରନ୍ତୁ । ପୂଜା ଦିନ କୌଣସି ଶିଳ୍ପୀ, ମେକାନିକ, ମିସ୍ତ୍ରୀ ସହିତ କଳିଝଗଡ଼ା କରନ୍ତୁନି ।
ବିଶ୍ୱକର୍ମା ପୂଜାଦିନ ସୂର୍ଯ୍ୟଦେବଙ୍କୁ ଅବଶ୍ୟ ପୂଜା କରନ୍ତୁ ।