ଡେରାଡୁନରେ ବର୍ଷା ତାଣ୍ଡବ: ଟୋଁସ ନଦୀରେ ଚାହୁଁ ଚାହୁଁ ଭାସିଗଲେ ୧୦ ଶ୍ରମିକ
ଡେରାଡୁନ ପାଇଁ ମଙ୍ଗଳବାର ଦିନଟି ଅମଙ୍ଗଳକାରୀ ପ୍ରମାଣିତ ହୋଇଛି । ବିଦାୟ କାଳୀନ ମୌସୁମୀ ପ୍ରଭାବରେ ମଙ୍ଗଳବାର ସକାଳୁ ମୂଷଳ ଧାରାରେ ବର୍ଷା କାରଣରୁ ଡେରାଡୁନ ଭୀତତ୍ରସ୍ତ ।
ପାହାଡ଼ିଆ ଇଲାକାରେ ବସବାସ କରୁଥିବା ଲୋକମାନଙ୍କ ଛାତିରେ ଛନକା ପଶିଛି । କେତେବେଳେ କୋଉଠି କୋଉ ପାହାଡ଼ କୋଉ ନଦୀର କରାଳ ସୁଅରେ କୋଉମାନେ ଭାସିଯିବେ, ପୂର୍ବାନୁମାନ କରିବା କଷ୍ଟକର ।
ବାଦଲଫଟା ବର୍ଷା ଫଳରେ ଟୋଁସ ନଦୀ ଫୁଲି ଉଠିଲା, ଉପର ମୁଣ୍ଡରୁ ତଳ ଆଡକୁ ପାଣି ବହି ଚାଲିଲା ।
ଟୋଁସ ନଦୀ ଉପରେ ପ୍ରାୟ ୧୦ ଜଣ ଶ୍ରମିକ ଗୋଟିଏ ଟ୍ରଲିରେ ଠିଆ ହୋଇ କାମ କରୁଥିଲେ । ନଦୀର ବିଶାଳ ସୁଅରେ ଭାସି ଚାଲିଗଲେ । ଉଦ୍ଧାରକାରୀ ଦଳ ଅଦ୍ୟାବଧି ୮ଟି ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଆଉ ଦୁଇଜଣଙ୍କୁ ଖୋଜା ଚାଲିଛି ।
ନଦୀର ଜଳସ୍ତର ବଢ଼ିବା ସତ୍ତ୍ୱେ ଶ୍ରମିକମାନେ କାମ କରୁଥିଲେ ।
‘ସବୁକିଛି ନିମିଷକ ଭିତରେ ଘଟିଗଲା, ନଦୀର ଜଳସ୍ତର ଧିରେ ଧିରେ ବଢୁଥିଲା । ଆମେ ଭାବୁଥିଲୁ, ନଦୀର ପାଣି ଉଚ୍ଛୁଳିବା ପୂର୍ବରୁ ଆମେ କୂଳକୁ ଫେରିଯିବୁ । ମାତ୍ର ହଠାତ୍ ପାଣି ମାଡ଼ି ଆସିଲା, ଆମ ସାଥିମାନଙ୍କୁ ନେଇଗଲା ।’
ନଦୀକୂଳରେ ଠିଆ ହୋଇ କାମ କରୁଥିବା ଶ୍ରମିକଙ୍କ ଭିତରୁ ଜଣେ ଏଭଳି କଥା କହିିଛନ୍ତି ।