ଆମ ଭିତରେ ଭାରତ-ପାକିସ୍ତାନ ବିଭେଦ ନାହିଁ, ଆମେ ଗୋଟିଏ ପରିବାର: ୟୁଏଇ ଅଧିନାୟକ ମହମ୍ମଦ ୱାସିମ୍
‘ଆମ ଦଳରେ ଅଧା ଭାରତୀୟ ଓ ପାକିସ୍ତାନୀ, ବାଛ ବିଚାର କରିବାର ନାହିଁ, ଆମେ ସମସ୍ତେ ଗୋଟିଏ ପରିବାର ।’ ଏପରି ମନ୍ତବ୍ୟ ପ୍ରଦାନ କରିଛନ୍ତି ୟୁଏଇ କ୍ରିକେଟ୍ ଟିମ୍ ଅଧିନାୟକ ମହମ୍ମଦ ୱାସିମ୍ ।
ଏସିଆ କପ୍ ମହା ମୁକାବିଲା ଅବସରରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ଟିମ୍ ଭିତରେ ଉପୁଜିଥିବା ଉଷ୍ମ ବାତାବରଣକୁ ଲକ୍ଷ୍ୟ କରି ୱାସିମ୍ କହିଛନ୍ତି, ଆମ (ୟୁଏଇ) ଦଳରେ ଉଭୟ ଭାରତୀୟ ଅଛନ୍ତି, ପାକିସ୍ତାନୀ ଅଛନ୍ତି ।
ଆମ ଦଳରେ ଘୃଣା ବିଦ୍ୱେଷ ଭାବନାର ସ୍ଥାନ ନାହିଁ । ଆମେ ସମସ୍ତେ ଏକମନ ହୋଇ ଖେଳିବାକୁ ଆସିଛୁ । ବାଛ ବିଚାର କରି ଦେଶ ମୁଣ୍ଡରେ କଳଙ୍କ ଲଗାଇବାକୁ ନୁହେଁ ।
ୱାସିମ୍ କହନ୍ତି, ତାଙ୍କ ଦଳରେ ସାମିଲ ହୋଇଥିବା ଖେଳାଳୀଙ୍କ ଭିତରୁ ସିମ୍ରନଜିତ ସିଂ, ରାହୁଲ ଚୋପ୍ରା, ହର୍ଷିତ କୌଶିକ, ଧ୍ରୁବ ପରାଶର ଓ ଆଲିଶାନ ଶରାଫୁ ମୂଳତଃ ଭାରତୀୟ ଓ ପାକିସ୍ତାନୀ ।
ହାଇଦର ଅଲୀ, ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ ଓ ଆସିଫ ଖାନ ୟୁଏଇ ବାସିନ୍ଦା । ଖୋଦ ୱାସିମ୍ ମୁଲତାନରେ ଜନ୍ମିତ ।
ୱାସିମ କହନ୍ତି, ଯିଏ ଯୋଉଠିକାର ହୋଇଥାନ୍ତୁ ନା କାହିଁକି, ଆମର ପ୍ରଧାନ ପରିଚୟ ହେଉଛି, ଆମେ ୟୁନାଇଟେଡ୍ ଆରବ ଏମିରେଟସର କ୍ରିକେଟ୍ ଟିମ୍ ।
ଆମକୁ ଆମ ଦେଶ ପାଇଁ ଖେଳିବାର ଅଛି, କ୍ରିକେଟ୍ ମ୍ୟାଚ୍ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ରଖି ଖେଳାଯିବା ଦରକାର ।