ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜି ଏସ୍ ଟି ସଂସ୍କାର: ଗୋଇଠା ମାରି ବିଷ୍ଣୁ କହିବାରେ କି ବାହାଦୁରି
ପ୍ରଧାନମନ୍ତ୍ରୀ ପଦବୀକୁ ମଣ୍ଡନ କରି ଆସିଥିବା ନରେନ୍ଦ୍ର ମୋଦୀ ଦଶହରା ପୂର୍ବରୁ ଦେଶବାସୀଙ୍କୁ ଜି ଏସ୍ ଟି ବଚତ୍ ଭେଟି ଦେଇଛନ୍ତି ।
ଏହି ବଚତ୍ ଫଳରେ ସବୁ ବର୍ଗର ଲୋକଙ୍କୁ ଫାଇଦା ମିଳିବ ବୋଲି ଦୃଢ଼ତାର ସହିତ କହିଛନ୍ତି । ଏହି ଅବସରରେ ମୋଦିଜୀ ଦେଶବାସୀଙ୍କୁ ସ୍ୱଦେଶୀ ସାମଗ୍ରୀ କିଣିବାକୁ ଆହ୍ୱାନ କରିଛନ୍ତି ।
ମୋଦିଜୀ କହିଛନ୍ତି, ଦେଶବାସୀଙ୍କ ଝାଳରେ ତିଆରି କରାଯାଇଥିବା ସାମଗ୍ରୀକୁ ଅଧିକରୁ ଅଧିକ କିଣିବା ଫଳରେ ଦେଶର ବିକାଶ କାର୍ଯ୍ୟ ଆଗକୁ ଆଗେଇବ ।
ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଛି ଜି ଏସ୍ ଟି ଦ୍ୱିତୀୟ ପାଳି । ସେପ୍ଟେମ୍ବର ୨୧ ତାରିଖ ଅପରାହ୍ଣ ୫ଟାରେ ଦୂରଦର୍ଶନ ଜରିଆରେ ମୋଦିଜୀ ପ୍ରାୟ ୨୦ ମିନିଟ୍ କାଳ ଜି ଏସ୍ ଟି ସଂସ୍କାର, ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ପ୍ରାଥମିକତା ଦେଇଥିଲେ ।
ଜି ଏସ୍ ଟି ସଂସ୍କାର ଦେଶର ଅଭିବୃଦ୍ଧିକୁ ବଳ ଦେବ । ଘରୋଇ ବଜାରର ଆବଶ୍ୟକତା ଓ ଭବିଷ୍ୟତ ସ୍ୱପ୍ନକୁ ଦୃଷ୍ଟିରେ ରଖି ଜି ଏସ୍ ଟି ସଂସ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବାଣିଜ୍ୟ ସୁଗମ ଓ ନିବେଶକୁ ପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି ।
ଅଭିଭାଷଣ ଭିତରେ ମୋଦିଜୀ ‘ନାଗରିକ ଦେବୋ ଭବ’ କହି ୯୭ କୋଟି ନାଗରିକଙ୍କ ହୃଦୟକୁ ଜିଣିବାକୁ ଚେଷ୍ଟା କରିଛନ୍ତି । ଆୟକର ଓ ଜି ଏସ୍ ଟି ବାବଦକୁ ଲୋକମାନେ ବାର୍ଷିକ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ସଂଚୟ କରିପାରିବେ ।
ମୋଦିଜୀ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଉତ୍ପାଦ ଦେଶରେ ନିର୍ମିତ ହେଉନି । ଅଧିକାଂଶ ସାମଗ୍ରୀ ବିଦେଶରୁ ଆମଦାନୀ କରାଯାଉଛି । ବିଦେଶୀ ସାମଗ୍ରୀ କବଳରୁ ମୁକ୍ତି ପାଇବାକୁ ହେଲେ ଆମକୁ ଦେଶ ଭିତରେ ତିଆରି ସାମଗ୍ରୀ କିଣିବାକୁ ହେବ ।