ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ମୁହଁରୁ ମୃତ୍ୟୁ ସଂଜୀବନୀ ମନ୍ତ୍ର ଶୁଣି ବଂଚିବ ‘ବି ଏସ୍ ଏନ୍ ଏଲ୍’

ଆଜି ମୃତ୍ୟୁ  ସଂଜୀବନୀ ମନ୍ତ୍ର ଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ । ସେହି ମୃତ୍ୟୁ  ସଂଜୀବନୀ ମନ୍ତ୍ର ବଳରେ ମଲା ଗାଈ ‘ବି ଏସ୍ ଏନ୍ ଏଲ୍’ ବଂଚିବ ।

ଅମ୍ବାନୀ ଓ ମିତ୍ତଲଙ୍କ ସହିତ ଲଢ଼ିବ, ବିଜୟୀ ହୋଇ ସାରା ଦେଶକୁ ଟେଲିକମ୍ ସେବା ପ୍ରଦାନ କରିବ । ମାତ୍ର କଥା ହେଉଛି, ଅମ୍ବାନୀ ଓ ମିତ୍ତଲଙ୍କ ୫ଜି ସେବା ବ୍ୟବସ୍ଥାକୁ ୪ଜି ସେବା ବଳରେ ପରାସ୍ତ କରିପାରିବ ମୋଦିଜୀଙ୍କ ‘ଆତ୍ମନିର୍ଭର’ ସଫ୍ଟୱେର?

ଯିଏ ଶୁଣୁଛି ସିଏ କହୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶରେ ସ୍ୱଦେଶୀ ଆନେ୍ଦାଳନ ପ୍ରହସନ ଆରମ୍ଭ କରିଛନ୍ତି । ଏହି ପ୍ରହସନ ସେବା ଟ୍ରମ୍ପଙ୍କ ନିକଟରୁ ଶକ୍ତ ଚାପୁଡ଼ା ଖାଇବା ପରେ ମୋଦିଜୀ ଆରମ୍ଭ କରିଛନ୍ତି । ବିଜେପି ନେତାଙ୍କୁ ଲାଜ ଲାଗୁନି କି ବିଜେପି କର୍ମୀଙ୍କୁ ସରମ ଲାଗୁନି ।

ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଦେଶରେ ୫ଜି ସେବା ଜୋରଦାର ଚାଲିଛି । ଆଗାମୀ ବର୍ଷକ ପରେ ଦେଶରେ ୬ଜି ସେବା ପାଦ ପକାଇବ । ସେତେବେଳେ ଆମ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ଟେଲିକମ୍ ୪ଜି ସେବା ଆରମ୍ଭ କରିବ ।

ଦେଶର ଏକମାତ୍ର ରାଷ୍ଟ୍ରାୟତ୍ତ ଟେଲିକମ୍ ସଂସ୍ଥା ବି ଏସ୍ ଏନ୍ ଏଲ୍ ଏବେ ଜରାଜୀର୍ଣ୍ଣ । ଏହି ସଂସ୍ଥାକୁ ଜରାଜୀର୍ଣ୍ଣ କରିବା ପଛରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ସୂତ୍ରଧର ।

ସ୍ପେକଟ୍ରମ ଆବଂଟନ କ୍ଷେତ୍ରରେ ଯାବତୀୟ ଗୋଳମାଳିଆ ଚାଲ ଚଲାଇ ମୋଦିଜୀ ଜାଣିଶୁଣି ବି ଏସ୍ ଏନ୍ ଏଲ୍ କୁ ବିପୁଳ କ୍ଷତିରେ ପକାଇବା ପରେ ଏବେ ତା’ ଶରୀରରେ ପ୍ରାଣ ସଂଚାର କରିବାକୁ ବାହାରିଛନ୍ତି ।

ଓଡ଼ିଶା ଭଳି ଗୋଟିଏ ପଛୁଆ ରାଜ୍ୟରୁ ବି ଏସ୍ ଏନ୍ ଏଲ୍ ପକ୍ଷରୁ ୪ଜି ‘ଆତ୍ମନିର୍ଭର’ ସେବା ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଜୀ ଉକ୍ତ ସଫ୍ଟୱେରକୁ ସହଜରେ ୫ଜି ସେବାକୁ ପରିବର୍ତ୍ତନ କରିହେବ ବୋଲି କହିଛନ୍ତି ।

ମୋଦିଜୀଙ୍କ କଥାର ସତ୍ୟତା ଆପଣମାନେ ୧୧ ବର୍ଷ ହେଲା ଅନୁଭବ କରିସାରିଛନ୍ତି ।

କିଛି ଘରୋଇ ସଂସ୍ଥା ଜରିଆରେ ବି ଏସ୍ ଏନ୍ ଏଲ୍ ବୈଷୟିକ ଜ୍ଞାନକୌଶଳକୁ ଅଧିକ ପରିସ୍ଫୁଟନ କରାଯାଇଛି ବୋଲି ମୋଦିଜୀ ଯାହା କହୁଛନ୍ତି, ତା’ର ସତ୍ୟତା ନ ପରଖିବା ପର୍ଯ୍ୟନ୍ତ ବି ଏସ୍ ଏନ୍ ଏଲ୍ ସାଧାରଣ ଜନତାଙ୍କ ନିକଟରେ ବିଶ୍ୱାସଯୋଗ୍ୟ ହୋଇପାରିବନି ।

୨୦୧୦ ମସିହାରେ ଦେଶର ସରକାରୀ ଟେଲିକମ୍ ସଂସ୍ଥାକୁ ସଂପୂର୍ଣ୍ଣ ଘରୋଇକରଣ କରି ଦିଆଗଲା । ପ୍ରତିଷ୍ଠା କରାଗଲା ଭାରତୀୟ ଦୂରସଂଚାର ନିଗମ ଲିମିଟେଡ୍ ।

୨୦୧୪ ମସିହାରେ ନରେନ୍ଦ୍ର ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ବି ଏସ୍ ଏନ୍ ଏଲ୍ କୁ ପ୍ରତିଟି ମୁହୂର୍ତ୍ତରେ ଅପମାନିତ କରାଯାଇଛି ।

ତା’ର ସଫଳ ବ୍ୟବସାୟ ବାଟରେ ପ୍ରତିବନ୍ଧକ ତିଆରି କରି ଦିଆଯାଇଛି । ଅମ୍ବାନୀ ପରିବାରକୁ ମାଲାମାଲ କରି ଦିଆଯାଇଛି ।

୨୦୧୨ ମସିହାରେ ଦେଶର ଏକ ନମ୍ବର ଟେଲିକମ୍ ସେବା ପ୍ରଦାନକାରୀ ଭାବେ ବି ଏସ୍ ଏନ୍ ଏଲ୍ ପରିଚିତ ଥିଲା ।

୨୦୧୬ ପରଠାରୁ ବି ଏସ୍ ଏନ୍ ଏଲ୍ ଭାଗ୍ୟ ଆକାଶରେ କଳାବାଦଲ ଘୋଟିଲା । ସେବେଠାରୁ ବି ଏସ୍ ଏନ୍ ଏଲ୍ ସହିତ ବୈମାତୃକ ମନୋଭାବ ପୋଷଣ କରାଯାଉଛି ।

ଆଜି ମଲା ଗାଈର ଦାନ୍ତ ଗଣିବା ଆରମ୍ଭ କରିଛନ୍ତି ମୋଦିଜୀ ।