ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ନାଁ

ଭାରତୀୟ ନିର୍ବାଚନ କମିଶନ ବଡ଼ ସୂଚନା ଜାରି କରିଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଦେଶର ବିଭିନ୍ନ ରାଜ୍ୟର ୯ ବିଧାନସଭା ଆସନରେ ଉପନିର୍ବାଚନ ହେବ । ଆଉ ଏଥିରେ ରହିଛି ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ନାଁ ।

ନିଯୁକ୍ତ ହେବାକୁ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ନିର୍ବାଚନ କମିଶନଙ୍କ ଅଧିନରେ ଭୋଟିଂ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ କାମ କରିବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମୁକ୍ତ, ଅବାଧ ନିର୍ବାଚନ ପାଇଁ ପୋଲିସ, ପ୍ରଶାସନକୁ ସହଯୋଗ କରିବେ ।

ବିହାର ବିଧାନସଭା ସହ ବିଭିନ୍ନ ୯ ରାଜ୍ୟର ୯ ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ୩୭୦ ଜଣ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ମୁତୟନ କରିବେ । ଏଥିରେ ୩୨୦ ଜଣ IAS ଅଧିକାରୀ, ୬୦ ଜଣ IPS ଅଧିକାରୀଙ୍କ ସହ ୯୦ ଜଣ ଅନ୍ୟ ଅଧିକାରୀ ରହିଛନ୍ତି ।

ସେପ୍ଟେମ୍ବର ୮ରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିଲା । ଖରିଆର୍ ରୋଡ୍ ଏନଏସି ଅଧ୍ୟକ୍ଷରୁ ନୂଆପଡ଼ା ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ ।

ଥରେ ସ୍ଵାଧୀନ ଓ ୩ ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଢୋଲକିଆ । ପୂର୍ବ ବିଜେଡି ସରକାରରେ ରାଜେନ୍ଦ୍ର ଢୋଲକିଆ ଯୋଜନା ଓ ସମନ୍ଵୟ ବିଭାଗର ମନ୍ତ୍ରୀ ଥିଲେ । ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼଼ା ଆସନରେ ଉପନିର୍ବାଚନ ହେବାକୁ ଯାଉଛି ।