ଭଲ ନାହିଁ ଆମେରିକା ସରକାରୀ କଳ: ଚାକିରି ଛାଡ଼ିଲେ ଏକଲକ୍ଷ କର୍ମଚାରୀ
ଭଲ ନାହିଁ ଆମେରିକା ସରକାରୀ କଳ । ଭଲ ନାହିଁ ଆମେରିକାର ଆର୍ଥିକ ସ୍ଥିତି । ଆମେରିକାର ଅର୍ଥନୀତି ଏବେ ଟଳମଳ ଅବସ୍ଥାରେ ।
ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଦେଶ ଅନୁସାରେ ଆମେରିକା ଅମଲା ତନ୍ତ୍ରରୁ ପ୍ରାୟ ଏକଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଆଗାମୀ ଦିନରେ ଆହୁରି ଏକଲକ୍ଷ ସରକାରୀ କର୍ମଚାରୀ ବିଦା ହେବେ ।
ସମସ୍ତଙ୍କୁ ଏକକାଳୀନ ଆର୍ଥିକ ପାରିତୋଷିକ ଦେଇ ବିଦା କରାଯିବାର ଗୋଲମାଲ ତରିକା ଆପଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।
ଦ୍ୱିତୀୟ ମହାସମର ପରଠାରୁ ଆମେରିକା ଅମଲା ତନ୍ତ୍ର ପ୍ରତି ଏଭଳି ଆଭିମୁଖ୍ୟ ପୋଷଣ କରାଯାଇ ନଥିଲା । ଆମେରିକାକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଆମେରିକାର ବିରୋଧୀ ଦଳ ପକ୍ଷରୁ ଟ୍ରମ୍ପଙ୍କ କର୍ମଚାରୀ ଛଟେଇ ପଦକ୍ଷେପକୁ ତୀବ୍ର ସମାଲୋଚନା କରାଯାଇଛି । ବିରୋଧୀ ଦଳ କହିଛି, ଦେଶର ଆର୍ଥିକ ସ୍ଥିତି ଅଚଳ ପ୍ରାୟ କୁହାଯାଉଥିଲା ବେଳେ ହ୍ୱାଇଟ୍ ହାଉସ୍ ନିଷ୍ପତି ସରକାରୀ କର୍ମଚାରୀଙ୍କୁ ଏକକାଳୀନ ପାରିତୋଷିକ ପ୍ରଦାନ ବ୍ୟବସ୍ଥା କାରଣରୁ ରାଜକୋଷ ଉପରେ ପ୍ରାୟ ୧୪.୮ ବିଲିୟନ୍ ଡଲାର ବୋଝ ଲଦି ହୋଇଯିବ ।
ସଂଘୀୟ ବ୍ୟବସ୍ଥା ଅନୁସାରେ ପ୍ରାୟ ୨ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଅଗ୍ରିମ ଆଠମାସର ଦରମା ଓ ଅନ୍ୟାନ୍ୟ ସୁବିଧା ରାଶି ପ୍ରଦାନ କରିବାକୁ ପଡ଼ିବ ।
ଟ୍ରମ୍ପଙ୍କ ପ୍ରଶାସନର ଜଣେ ଉଚ୍ଚ ଅଧିକାରୀ ରାଜକୋଷ ଉପରେ ଅତିରିକ୍ତ ବୋଝକୁ ଯୁକ୍ତିସଂଗତ କରିବା ପାଇଁ କହିଛନ୍ତି, ୨ ଲକ୍ଷ କର୍ମଚାରୀଙ୍କୁ ଏକକାଳୀନ ରାଶି ପଇଠ କରି ଏକ ଦୀର୍ଘମିଆଦି ଆର୍ଥିକ ବୋଝରୁ ହାଲୁକା ହୋଇଯିବା ବିଲୁକୁଲ ଠିକ ।
କାମ କରନ୍ତୁ କି ନକରନ୍ତୁ ପ୍ରତିମାସରେ କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରି ଲମ୍ବା ସମୟ ପାଇଁ ପୋଷିବା ଆଦୌ ଲାଭଦାୟକ ନୁହେଁ ।
୨ ଲକ୍ଷ ଲୋକଙ୍କୁ ଏକକାଳୀନ ପାରିତୋଷିକ ଦେଇ ଚାକିରିରୁ ବାହାର କରିବା ଫଳରେ ଆମେରିକା ସରକାର ବାର୍ଷିକ ୨୮ ବିଲିୟନ ଡଲାର ଫାଇଦାରେ ରହିବେ ।