ପାକିସ୍ତାନର ଏହି ରହସ୍ୟମୟୀ ମହିଳା କିଏ ? ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହିତ ତାଙ୍କର ସଂପର୍କ କ’ଣ? ମିଳିତ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ବସିବା ପାଇଁ ତାଙ୍କୁ ଅନୁମତିି ଦେଲା କିଏ?
ଏଭଳି ପ୍ରଶ୍ନର ଜବାବରେ କହିଛନ୍ତି ପାକ୍ ରକ୍ଷାମନ୍ତ୍ରୀ, ‘ମୁଁ ଜାଣିନି’ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କ’ଣ ସତରେ କିଛି ଜାଣନ୍ତିନି । ଜାଣିଶୁଣି ଅଭିନୟ କରୁ ନଥିବେ କାହିଁକି?
ମିଳିତ ଜାତିସଂଘର ନିରାପତ୍ତା ପରିଷଦ ବୈଠକରେ ଯେକୌଣସି ଦେଶର ଜଣେ ସାଧାସିଧା ମହିଳା ସାହେବୀ ଠାଣିରେ ପ୍ରବେଶ କରିବା ଏତେ ସହଜ? ସଂପୃକ୍ତ ମହିଳା ଜଣକ କୋଉଠି ବସିଥିଲେ ଜାଣନ୍ତି?
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଆସିଫଙ୍କର ଠିକ ପଛ ଆସନରେ ।
ମିଳିତ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଆଲୋଚନାର ବିଷୟବସ୍ତୁ ଥିଲା କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ।
ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଆସିଫ ଯୋଉ ମହିଳାଙ୍କୁ ଜାଣି ନଥିବା କହି ଏଡାଇ ଯାଇଥିଲେ । ସେହି ମହିଳାଙ୍କ ନାମ ଶମା ଜୁନେଜୋ । ପାକିସ୍ତାନ ଗଣମାଧ୍ୟମ ସହିତ ଜଡ଼ିତ ଜଣେ ନାମୀ ସ୍ତମ୍ଭକାର ଓ ସୋସିଆଲ ମିଡିଆକର୍ମୀ ।
ମିଳିତ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଯୋଗଦାନ କରିବାକୁ ଯାଇଥିବା ପାକିସ୍ତାନ ପ୍ରତିନିଧିମଣ୍ଡଳୀଙ୍କ ତାଲିକା ଭିତରେ ତାଙ୍କର ନାମ ଉଲ୍ଲେଖ କରାଯାଇ ନଥିଲା ।
ତଥାପି ଜୁନେଜୋ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସିବା ଅନେକଙ୍କୁ ଆଚମ୍ବିତ କରିଥିଲା ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜୁନେଜୋ ସେୟାର କରିଥିବା ଅଧିକାଂଶ ମତ ଓ ମନ୍ତବ୍ୟ ଇସ୍ରାଏଲ୍ ସପକ୍ଷରେ ଥିଲାବେଳେ ପାକିସ୍ତାନ ସରକାରଙ୍କ ମନରେ ପାଲେଷ୍ଟାଇନ୍ ପ୍ରତି ଦୁର୍ବଳତା ପ୍ରକାଶ ପାଉଥିଲା ।
ଏମିତି କ’ଣ ଘଟିଲା ଯେ ଜୁନେଜୋ ଗୋଟାପଣେ ପାକିସ୍ତାନ ସରକାରଙ୍କ ଦୃଷ୍ଟିରେ ୨୪ କ୍ୟାରେଟ୍ ସୁନା ହୋଇଗଲେ ।
ଅଧିକାଂଶ ପାକ୍ ଜନତା ଜାତିସଂଘ ବୈଠକରେ ଜୁନେଜୋଙ୍କ ଉପସ୍ଥିତିକୁ ନାପସନ୍ଦ କରିଛନ୍ତି ।
ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏ ମାମଲାରେ ସ୍ପଷ୍ଟ କରିଛି ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଜୁନେଜୋଙ୍କୁ ସାମିଲ କରାଯାଇନି ।
କିନ୍ତୁ ଶମା କହିଛନ୍ତି, ସେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶଦାତା ଭାବେ ବେଶ କିଛି ମାସ ଧରି କାମ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶରିଫଙ୍କ ଆଦେଶ ଅନୁସାରେ ମିଳିତ ଜାତିସଂଘ ବୈଠକ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦାନ କରି ଆଲୋଚନାର ସାରାଂଶ ଲେଖନ୍ତି ।
ଅନ୍ୟ ଅତିଥିଙ୍କ ଭଳି ଜୁନେଜୋଙ୍କ ନିକଟରେ ନିରାପତ୍ତା ପରିଷଦ ବୈଠକରେ ବସିବା ପାଇଁ ଅନୁମତି ପତ୍ର ମହଜୁଦ ଥିଲା ।