ମନମୋହନଙ୍କ ଜାଲରେ ଫସିଗଲେ ମୋହନ । ଏମିତି ଏକ ସନ୍ଦେହ କିଛି ଆଦିବାସୀ ନେତାଙ୍କ ମୁଣ୍ଡକୁ ଘାରିଛି । ସରଳିଆ ଲୋକଟା ଫସିଗଲା ଆଜ୍ଞା । ବିଜେପିରେ ବହୁ ମାରାତ୍ମକ ଲୋକମାନେ ଅଛନ୍ତି । ସାଧାସିଧା ଲୋକକୁ ବଡ଼ ପଦବୀରେ ବସାଇ ଦଳ ପାଇଁ ନାନା ନୂଆ ନୂଆ ତରିକା ଚଲାନ୍ତି, ଟଙ୍କା ଆଦାୟ କରି ଦଳୀୟ ପାଣ୍ଠିରେ ଜମା କରନ୍ତି ।
ପୁଲିିସ ପ୍ରଶାସନର ବଡ଼ ମୁଣ୍ଡିଆଙ୍କ ବଳରେ ପ୍ରତି ଏସ୍ ଆଇ ପଦବୀ ପିଛା ୨୫ ଲକ୍ଷ ଟଙ୍କା ଲେଖାଁଏ ଆଦାୟ କରିବା ପାଇଁ ଦଳର ନୂଆଦିଲ୍ଲୀ ହାଇକମାଣ୍ଡ ମୋହନ ଚରଣ ମାଝିଙ୍କୁ ଆଦେଶ ଦେଇଥିବେ ।
ଡବଲ ଇଂଜିନ ସରକାରରେ ସବୁ ନିଷ୍ପତି ନୂଆଦିଲ୍ଲୀରେ କରାଯାଏ, ମୋହନ ଚରଣ ମାଝି ତାକୁ ପାଳନ କରିଛନ୍ତି ମାତ୍ର ।
ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିପି ଭଳି ପଦବୀକୁ ମଣ୍ଡନ କରିଥିବା ଚରିତ୍ରମାନେ ଚାକିରି ବିକା ଯୋଜନା ବିଷୟରେ ସବୁ ଜାଣିଛନ୍ତି । ମାତ୍ର ମାମଲାଟି ଧରା ପଡ଼ିଯିବାରୁ ଆତ୍ମରକ୍ଷାତ୍ମକ ଅଭିନୟ କରୁଛନ୍ତି ।
ଏସ୍ ଆଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ପାଇଁ ଓପିଆରବି ପ୍ରଥମେ ଆଇଟିଆଇ ସହିତ ହାତ ମିଳାଇଥିଲା । ଆଇଟିଆଇ ତା’ର ସହଯୋଗୀ ଭାବେ ଗୁଜୁରାଟସ୍ଥିତ ରିଚ୍ ମାଇଣ୍ଡ ଡିଜିଟାଲକୁ ବାଛିଥିଲା ।
ଏସବୁ କାମ ସନ୍ତୋଷ ଉପାଧ୍ୟାୟଙ୍କ ଅମଳରେ ହୋଇଥିଲା । ୨୦୨୫ ମସିହା ଏପ୍ରିଲ ମାସରେ ସନ୍ତୋଷ ଉପାଧ୍ୟାୟଙ୍କ ସ୍ଥାନରେ ଯୋଗଦାନ କଲେ ସୁଶାନ୍ତ କୁମାର ନାଥ ।
ସୁଶାନ୍ତ କୁମାର ନାଥଙ୍କ ଅମଳରେ ସିଲିକନ୍ ଡିଜିଟେକ୍, ପଂଚସଫ୍ଟ ଟେକ୍ନୋଲୋଜି ଓପିଆରବିରେ ପ୍ରବେଶ କଲେ । ପଂଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ଜଣେ ମହା ଖେଳୁଆଡ଼ ।
ବିଜେପି ନେତାମାନଙ୍କ ସହିତ ଫଟୋ ଉଠାଇ ଚାକିରି ଆଶାୟୀଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରିବା ତା’ ପକ୍ଷରେ ଭାରି ସହଜ ହୋଇଛି । ଖୋଦ ମନମୋହନ ସାମଲ ଅଭିଯୁକ୍ତ ପୃଷ୍ଟିକୁ ଆଲିଙ୍ଗନ କରି ଦଳରେ ମିଶାଇଥିଲେ ।
ଏଭଳି ଏକ ସଂଗୀନ ମାମଲାକୁ ସିବିଆଇ ହାତକୁ ଟେକିଦେଲେ ଯେ ପ୍ରକୃତ ଦୋଷୀ ଦଣ୍ଡ ପାଇବେ, ତାହା ଆଶା କରିବା ବୃଥା ।
ଭୁଲନ୍ତୁ ନାହିଁ, ଏଠାରେ ଡବଲ ଇଂଜିନ ସରକାର ଶାସନ କରୁଛି । ଏଠାରେ ଯାହା ଘଟୁଛି, ତା’ ପଛରେ ପ୍ରଧାନମନ୍ତ୍ରୀଙ୍କ ଅଭୟ ସମର୍ଥନ ରହିଛି ।
ଏସ୍ ଆଇ ଚାକିରି ନିଲାମ ପଛରେ ପ୍ରଧାନମନ୍ତ୍ରୀଙ୍କ ନିରବ ସମର୍ଥନ ନଥିବ କାହିଁକି?