Social media,ସୋସିଆଲ ମିଡିଆ କମାଲ: ସ୍ୱାଭାବିକ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଲା
Social media, ସୋସିଆଲ ମିଡିଆର ବିଶ୍ୱସନୀୟତା ଓ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି ।
ତା’ର ତାଜା ଉଦାହରଣ ଆପଣଙ୍କ ମନ ଉପରେ ନିଶ୍ଚୟ ପ୍ରଭାବ ପକାଇବ । ନିକଟ ଅତୀତରେ ପଞ୍ଜାବ ରାଜ୍ୟରେ ଗୋଟିଏ ବିଶିଷ୍ଟ ପରିବାରର ଗୁମରକୁ ଉଜାଗଣ କରିଛି ସୋସିଆଲ ମିଡିଆ ।
ପୁଅଟିର ସ୍ୱାଭାବିକ ମରଣ ହୋଇଥିବା ଦର୍ଶାଇ ଗୋଟିଏ ପ୍ରତିଷ୍ଠିତ ପରିବାର ଆଇନ ଆଖିରେ ଧୂଳି ଦେଇ ଖସିଯିବାକୁ ବସିଥିଲା ।
ମାତ୍ର ମୃତକ ତା’ର ସୋସିଆଲ ମିଡିଆ ଆକାଉଂଟରେ ପ୍ରସାରଣ କରିଥିବା କିଛି ପୁରୁଣା ଭିଡିଓ ଏବେ ବାପା, ମା’ ଓ ଭଉଣୀର ହୀନ କାରସାଦିକୁ ଲୋକଲୋଚନକୁ ଆଣିପାରିଛି ।
ମଙ୍ଗଳବାର ଦିନ ହରିଆଣା ପୁଲିସ ପଞ୍ଜାବର ପୂର୍ବତନ ପୁଲିସ ଡିଜିପି ମହମ୍ମଦ ମୁସ୍ତାଫା ଓ ତାଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ରେଜିୟା ସୁଲତାନାଙ୍କୁ ଗିରଫ କରିଛି । ୩୫ ବର୍ଷୀୟ ଆକିଲ ଅଖତରଙ୍କ ଅକାଳ ମୃତ୍ୟୁ ପାଇଁ ଉଭୟ ବାପା ଓ ମାଙ୍କୁ ଦାୟୀ କରିଛି ପୁଲିସ ।
ଆକିଲଙ୍କ ମୃତ୍ୟୁକୁ ସ୍ୱାଭାବିକ ଦର୍ଶାଇ ପୁଲିସ ତାଙ୍କ ଫାଇଲକୁ ବନ୍ଦ କରିଥିଲା ।
ତେବେ ନିକଟରେ ସୋସିଆଲ ମିଡିଆରେ ଆକିଲଙ୍କର ଏକ ପୁରୁଣା ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଉକ୍ତ ଭିଡିଓରେ ଆକିଲ ତାଙ୍କ ପତ୍ନୀଙ୍କ ସହିତ ବାପା ମହମ୍ମଦ ମୁସ୍ତାଫାଙ୍କ ଗୁପ୍ତ ସଂପର୍କ ଉଜାଗର କରିଥିଲେ ।
ଭିଡିଓଟିରେ ଆକିଲ କହିଥିଲେ, ମୋ ପତ୍ନୀଙ୍କ ସହିତ ଖରାପ ସଂପର୍କ ରଖିଛନ୍ତି ମୋ ବାପା । ଏ ବିଷୟ ମୋ ମାଆ ଓ ଭଉଣୀଙ୍କୁ ଜଣା ଅଛି । ସାମାଜିକ ବଦନାମକୁ ଘୋଡ଼ାଇବା ପାଇଁ ମୋ ବାପା, ମା’ ଓ ଭଉଣୀ ମିଳିମିଶି ମୋତେ ମାନସିକ ରୋଗୀ ଦର୍ଶାଇ ଥଇଥାନ କେନ୍ଦ୍ରକୁ ପଠାଇବା ପାଇଁ ଚକ୍ରାନ୍ତ କରୁଛନ୍ତି । ଏମିତି ବି ହୋଇପାରେ ସେମାନେ ମୋତେ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇପାରନ୍ତି ।
ପୁଲିସ ସୂଚନାନୁସାରେ, ଅକ୍ଟୋବର ୧୬ ତାରିଖ ଦିନ ରାତିରେ ଆକିଲଙ୍କୁ ତାଙ୍କ ପରିବାର ଲୋକମାନେ ସେକ୍ଟର-୪ ସ୍ଥିତ ମନସା ଦେବୀ କଂପ୍ଲେକ୍ସ ନିକଟରେ ବେହୋସ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରିବାର ଲୋକମାନେ ଆକିଲକୁ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ ।
ଡାକ୍ତର ଆକିଲଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ପରିବାର ଲୋକମାନେ କହିଥିଲେ ଯେ ଆକିଲ ଅଧିକ ମାତ୍ରାରେ ଡ୍ରଗ୍ସ ସେବନ କରିଥିବାରୁ ଏଭଳି ଦଶା ଭୋଗିଛି । ପୁଲିସ ଆକିଲଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲା । ପରିବାର ଲୋକମାନେ ଆକିଲଙ୍କ ମୃତଦେହକୁ ନେଇ ୟୁପିର ଶାହାରନପୁରରେ କବର ଦେଇଥିଲେ ।
ଆକିଲଙ୍କ ଅକାଳ ମୃତ୍ୟୁକୁ ବିଶ୍ୱାସ କରି ନଥିଲେ ତାଙ୍କର ଦୂର ସଂପର୍କୀୟ ଶାମସୁଦ୍ଦିନ ଚୌଧୁରୀ । ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଆକିଲଙ୍କ ଦ୍ୱାରା ଅଗଷ୍ଟ ମାସରେ ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ସଂପର୍କରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ ।