Criminals Paradise Biju Janata Dal: ଅପରାଧିଙ୍କ ଭୂସ୍ୱର୍ଗ ଭାବେ ଉଭା ହୋଇଛି ବିଜୁ ଜନତା ଦଳ ।
ରାଜନୈତିକ ଦଳ ପ୍ରତି ଲୋକଙ୍କ ମନରେ ଆଉ ଶ୍ରଦ୍ଧା ଓ ସମ୍ମାନବୋଧ ନାହିଁ । କ୍ଷମତାରେ ଥିଲାବେଳେ ବିଜେଡି ନେତାଙ୍କ ଅପରାଧକୁ କଳବଳ କୌଶଳର ସହିତ ମ୍ୟାନେଜ୍ କରୁଥିଲେ ନବୀନ ପଟ୍ଟନାୟକ ।
‘ଆଇନ ତା’ ବାଟରେ ଯିବ’ ଶବ୍ଦଭେଦୀ ବାଣ ପ୍ରୟୋଗ କରି ନବୀନ ବାବୁ ଓଡ଼ିଶାବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ଆସନଟିଏ ତିଆରି କରିଥିଲେ ।
କ୍ଷମତାରୁ ଚାଲିଯିବା ପରେ ନବୀନ ବାବୁଙ୍କ ଅସ୍ତିତ୍ୱ ଲୋପ ପାଇଯାଇଛି । ଦଳର ନେତା ଓ କର୍ମୀମାନଙ୍କ ଅପରାଧିକ ଚିଠା କ୍ରମେ ଉଜାଗର ହେଉଛି । ନବୀନ ବାବୁଙ୍କ ହାତଗଢ଼ା ଦଳ ବିଜେଡି ଭିତରେ ଏତେ ସଁବାଳୁଆ ଖୁନ୍ଦି ହୋଇ ରହିଛନ୍ତି, ସେ କଥା ଭାବିବା ବେଳକୁ ବିଜେଡି ପ୍ରତି ମନରେ ଶ୍ରଦ୍ଧା ଭାବ ଆସୁନି ।
ଜଣକ ପରେ ଜଣେ ନେତାଙ୍କ ଅପରାଧିକ କାର୍ଯ୍ୟକଳାପ ଲୋକଙ୍କ ନଜରକୁ ଆସୁଥିବାରୁ ପରିସ୍ଥିତିକୁ ସମ୍ଭାଳିବା ପାଇଁ ବିଜେଡି ତାକୁ ବିଜେପିର ହୀନ ରାଜନୀତି କହି ଖସିଯିବାର ବାହାନା କରୁଛି ।
୧୨ କୋଟି ଟଙ୍କାର ଏକ ଜମି ଠକେଇ ମାମଲାର ମୁଖ୍ୟ କାର୍ପଟଦାର ଭାବେ ଅଭିଯୁକ୍ତ ହୋଇ ଏବେ ଜେଲରେ ଅଛନ୍ତି ନିମାପଡ଼ାର ବିଜେଡି ନେତା ଦିଲ୍ଲୀପ ନାୟକ ।
ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଜେଲକୁ ଯାଇଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।
କେନ୍ଦୁଝର ଜିଲ୍ଲାର ବିଜେଡି ନେତା ରାଜା ଚକ୍ର ଏବେ କ୍ରାଇମ୍ ବ୍ରାଂଚ୍ ଲେନ୍ସରେ । ଅଭିଯୁକ୍ତ ବିଜେଡି ନେତାଙ୍କ ପ୍ରତି ସହାନୁଭୂତି ବର୍ଷା କରି ପାରୁନାହାନ୍ତି ନବୀନ ବାବୁ ।
କ୍ଷମତାରେ ଥିଲାବେଳେ ଚିଟ୍ ଫଣ୍ଡ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଜେଲକୁ ପଠାଇ ନବୀନ ବାବୁ ତାଙ୍କର ସାଧୁତାର ପରିଚୟ ଦେଇଥିଲେ ।
ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବିଜେଡି ନେତାଙ୍କ ପୁଅଝିଅ ଓ ପତ୍ନୀଙ୍କୁ ବିଧାନସଭାରେ ଥଇଥାନ କରି ସମାଲୋଚନାର ଶିକାର ହୋଇଥିଲେ ।
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ମଳୟ ବିଶୋୟୀଙ୍କୁ ଦଳରୁ ବାହାର କରିପାରୁନି ବିଜେଡି ।
ନବୀନ ବାବୁଙ୍କୁ ମୁଖିଆ ଆସନରେ ବସାଇ ବହୁ ବିଜେଡି ନେତା ନାନା କେଳେଙ୍କାରୀ କରୁଥିଲେ । ଏବେ ଗୋଟି ଗୋଟି ହୋଇ ସେଗୁଡ଼ାକ ପଦାକୁ ଆସିବା ଆରମ୍ଭ କରିଛି ।
ତା’ ମାନେ ନୁହେଁ ଯେ ବିଜେପିରେ ଅପରାଧ ଅଭିଯୁକ୍ତ ନାହାନ୍ତି । ବିଜେପି, ବିଜେଡି ଓ କଂଗ୍ରେସ ଭିତରୁ କେହି ଜଣେ ଦୋଷମୁକ୍ତ ନୁହନ୍ତି ।