Kurnool bus tragedy: ମୃତକଙ୍କୁ ୫ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା

Kurnool bus tragedy: ମୃତକଙ୍କୁ ୫ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା

କୁର୍ନୁଲ ବସ୍ ଦୁର୍ଘଟଣା ପାଇଁ ଚାଳକଙ୍କୁ ଦାୟୀ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ ସରକାର । ମୃତକଙ୍କ ପିଛା ୫ ଲକ୍ଷ ଓ ଆହତଙ୍କ ପିଛା ୨ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟ ସରକାର ଏକପ୍ରକାର ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ବସ୍ ଦୁର୍ଘଟଣା ଖବରଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାରୁଣ ବ୍ୟଥା ପ୍ରଦାନ କରିଛି । ଦୟା ଓ କରୁଣାର ଅବତାର ନରେନ୍ଦ୍ର ମୋଦିଜୀ ମୃତକଙ୍କ ପିଛା ୨ ଲକ୍ଷ ଓ ଆହତଙ୍କ ପିଛା ୫୦ ହଜାର ଟଙ୍କା ଦେବାକୁ କହି ଜନତାଙ୍କ ପ୍ରତି ତାଙ୍କର ଉତ୍ତର ଦାୟିତ୍ୱ ସମ୍ପାଦନ କରିଛନ୍ତି ।

ଜଳନ୍ତା ବସରେ ଜୀବନ୍ତ ଦଗ୍ଧ ୧୯ ଜଣଙ୍କ ଭିତରୁ ଦୁଇଜଣ ପିଲା । ବସରେ ଦୁଇଜଣ ଚାଳକଙ୍କ ସମେତ ୪୬ ଜଣ ସବାର ଥିଲେ ।

ଭଲଭୋ ଏସି ସ୍ଲିପର୍ ବସଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ୪୪ ନମ୍ବର ଜାତୀୟ ରାଜପଥ ଉପରେ ଯାଉଥିବା ସମୟରେ କୁର୍ନୁଲ ଜିଲ୍ଲାର ଚିନ୍ନାତେକୁରୁ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବେମୁରୀ କାବେରୀ ଟ୍ରାଭେଲ୍ସର ଉକ୍ତ ବସଟି ଶୁକ୍ରବାର ରାତି ପ୍ରାୟ ସାଢ଼େ ୩ଟାରେ ଗୋଟିଏ ମୋଟର ସାଇକେଲକୁ ପିଟିଥିଲା ।

ବସଟି ମୋଟର ସାଇକେଲକୁ କିଛି ବାଟ ଘୋଷାରି ନେବା ଭିତରେ ପ୍ରଥମେ ଇନ୍ଧନ ଟାଙ୍କିରେ ନିଆଁ ଲାଗିଥିଲା । ବାଇକ ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହିପରି ମୋଟ ୨୦ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ।

କିଛି ଶରୀର ଏଭଳି ଭାବରେ ଜଳିଯାଇଛି, ଚିହ୍ନଟ କରିବା ସମ୍ଭବ ହୋଇନି । ଜଳନ୍ତା ବସ ଭିତରୁ ବାହାରିବା ଯାତ୍ରୀଙ୍କ ପକ୍ଷେ ସହଜ ନଥିଲା । ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହେଉଥିଲା ।

ସ୍ଥାନୀୟ ଲୋକେ, ପୁଲିସ କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ରାଜସ୍ୱ କର୍ମଚାରୀ ଓ ମେଡିକାଲ ଟିମ ମିଳିତ ଭାବେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ।

ମୃତକ ୧୯ ଜଣଙ୍କ ଭିତରୁ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ୬ ଜଣ ଲେଖାଁଏ, ତାମିଲନାଡୁ ଓ କର୍ଣ୍ଣାଟକରୁ ଦୁଇଜଣ ଲେଖାଁଏ, ଓଡ଼ିଶା ଓ ବିହାରରୁ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି ।

ଜଣେ ମୃତକଙ୍କ ଘର ହାଇଦ୍ରାବାଦସ୍ଥିତ ଆରାମଘର ଅଂଚଳରେ, ମାତ୍ର ତାଙ୍କୁ ଚିହ୍ନଟ କରାଯାଇନି ।