Editorial : ଯଥା ନବୀନ ତଥା ମୋହନ ।
ନବୀନ ପଟ୍ଟନାୟକଙ୍କ ଅମଳରେ ରାଜ୍ୟର ଶିକ୍ଷିତ ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ସରକାରୀ ସ୍ତରୀୟ ନିଯୁକ୍ତି ପ୍ରକ୍ରିୟାକୁ ଯେଉଁ ଭଳି ବାଟବଣା କରି ଦିଆଯାଇଥିଲା । ମୋହନ ମାଝିଙ୍କ ଅମଳରେ ସେହି ପ୍ରକ୍ରିୟା ଜାରି ରହିଥିବାର ଦେଖିବାକୁ ମିଳୁଛି ।
ପାଠପଢ଼ା ସରିବା ପରେ ଶିକ୍ଷିତ ଯୁବକ ଅବା ଯୁବତୀ ଜଣକ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଏକାଧିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦିଅନ୍ତି ।
ବିଶେଷ କରି ନିମ୍ନ ମଧ୍ୟବିତ୍ତ ପରିବାରର ସର୍ବାଧିକ ଯୁବକ ଯୁବତୀମାନେ ସେ ପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବସନ୍ତି ଯେ ପର୍ଯ୍ୟନ୍ତ ସରକାରୀ ଚାକିରି ସେମାନଙ୍କ ପାଇଁ ମାୟା ମରିଚୀକା ପ୍ରମାଣିତ ନହୋଇଛି ।
ଏକ ନିର୍ବାଚିତ ସରକାର ପକ୍ଷେ ଅଭିଜ୍ଞ ଓ ଦକ୍ଷତା ସଂପନ୍ନ କର୍ମଚାରୀଙ୍କର ଆବଶ୍ୟକତା ଅଧିକ ରହିଛି । ସେହି ଦୃଷ୍ଟିରୁ ଶିକ୍ଷିତ ବେରୋଜଗାର ଯୁବକ ଯୁବତୀଙ୍କ ନିକଟରେ ରହିଛି ନା ଅଭିଜ୍ଞତା ନା ଦକ୍ଷତା ।
ଏ ଦୁଇଟି ଯାକ ପ୍ରଚୁର ପରିମାଣରେ ଖୁନ୍ଦି ରହିଥାଏ ଅସ୍ତାଚଳ ଶିଖର ଉହାଡ଼କୁ ଚାଲିଯିବା ପାଇଁ ସମୟକୁ ଅପେକ୍ଷା କରିଥିବା ସରକାରୀ ଅଧିକାରୀଙ୍କ ନିକଟରେ ।
ପ୍ରଚୁର ମାନବ ସମ୍ବଳଯୁକ୍ତ ଦେଶଗୁଡ଼ିକରେ ସରକାରଙ୍କ ନିର୍ଦ୍ଧାରିତ ଅବସର ବୟସରେ ଉପନୀତ ସରକାରୀ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯିବା ଏକ ରୁଗ୍ଣ ପରମ୍ପରା ।
ଏହି ରୁଗ୍ଣ ପରମ୍ପରାଟିକୁ ଉଭୟ ନବୀନ ପଟ୍ଟନାୟକ ଓ ମୋହନ ଚରଣ ମାଝି ଜାବୁଡ଼ି ଧରିଛନ୍ତି ।
ରାଜ୍ୟ ସରକାରରେ ଏଭଳି କିଛି ଅଧିକାରୀ ଏବେ ସୁଦ୍ଧା କାମ କରୁଛନ୍ତି ଯୋଉମାନଙ୍କ ବୟସ ୬୫ ବର୍ଷ ବୟସରୁ ଅଧିକ ।
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ମୋହନ ମାଝିଙ୍କ ସରକାର ୨୦୨୪ ସେପ୍ଟେମ୍ବର ମାସରେ ଏକ ସଂକଳ୍ପ ଜାରି କରିଥିଲେ ।
ମାତ୍ର ସେହି ସଂକଳ୍ପ ନାମାକୁ ଗୁରୁତ୍ୱର ସହିତ ପାଳନ କରାଯାଉନି । କିଛି ବିଭାଗରେ ସରକାରଙ୍କ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦିଆଯାଇଛି ।
ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ‘ଓରେରା’ରେ କୈଳାସ ଚନ୍ଦ୍ର ଚୌଧୁରୀ ନାମକ ଜଣେ ଅଧିକାରୀଙ୍କ ବୟସ ୬୫ ବର୍ଷ ବୟସରୁ ଅଧିକ । ସେ ପ୍ରଶାସନିକ ସଦସ୍ୟଙ୍କ ପରାମର୍ଶଦାତା ଭାବେ କାମ କରୁଛନ୍ତି ।
୬୯ ବର୍ଷ ବୟସରେ ପଦାର୍ପଣ କରିଥିବା କୈଳାସ ବାବୁ ଏବେ ମଧ୍ୟ ଉଦୀୟମାନ ଯୁବକ । ସରକାରଙ୍କ ନିର୍ଦ୍ଧାରିତ ଅବସର ବୟସଟା ତାଙ୍କୁ ଆଦୌ ସ୍ପର୍ଶ କରିପାରୁନି । କେମିତି କରିବ?
ତାଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ସରକାରୀ ଅଧିକାରୀମାନେ ଅକାଟ୍ୟ ଯୁକ୍ତି କରୁଛନ୍ତି ଯେ କୈଳାସ ବାବୁ ଯୋଉ ଜୋସ୍ ଆଉ ହୋସ୍ ଲଗାଇ ସରକାରଙ୍କ କାମଗୁଡ଼ିକ କରି ପାରୁଛନ୍ତି । ତାଙ୍କ ଭଳି ଆଉ କେହି ସେଭଳି କାମ କରିପାରିବେନି । ସତେ ଯେପରି କୈଳାସ ବାବୁଙ୍କ ଅକାଳ ବିୟୋଗକୁ ମୋହନ ମାଝିଙ୍କ ସରକାରଙ୍କ ଅକାଳ ବିୟୋଗ ବୋଲି ଧରି ନିଆଯିବ ।
କେହି ଏ କଥା ବୁଝିବାକୁ ନାରାଜ ଯେ କୈଳାସ ବାବୁ ନିଜକୁ ଜଣେ ଦକ୍ଷତା ସଂପନ୍ନ କର୍ମଚାରୀ ଭାବେ ଗଢ଼ି ତୋଳିବା ପଛରେ ଦାୟୀ କିଏ? ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ପାଇବା ପୂର୍ବରୁ କୈଳାସ ବାବୁ ଜଣେ ଶିକ୍ଷିତ ବେରୋଜଗାର ଯୁବକଟିଏ ଥିଲେ ତ?
‘ଭଜୁଥାରେ ବାବୁ ଚାକିରି କରିବୁ ସରକାରୀ ସିରସ୍ତାରେ,
ମନ୍ତ୍ରୀରିଙ୍କୁ ଲୋଡ଼ା ପାଚିଲା ଫଳଟି କଞ୍ଚାଙ୍କୁ କିଏ ପଚାରେ?’