ନୂଆଦିଲ୍ଲୀ: ଦିନକୁ ଦିନ ଓଟିଟି ପ୍ଲାଟ୍ଫର୍ମ ଏବଂ ସୋସିଆଲ ମିଡିଆରେ ବଢିବାରେ ଲାଗିଛି ଅଶ୍ଲୀଳ କଂଟେଟ୍ । ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । ଗୁରୁବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିକଟରୁ ୪ ସପ୍ତାହ ଭିତରେ ଜବାବ ତଲବ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଫୋନ୍ ଚାଲୁ କରିବା ମାତ୍ରେ ଏଭଳି କିଛି ଚାଲିଆସେ ଯାହା ଆପଣ ଚାହୁଁ ନଥିବେ, କିନ୍ତୁ ତାହା ବାଧ୍ୟତାମୂଳକ ଦେଖିବାକୁ ମିଳୁଛି । ପୁସ୍ତକ, ଚିତ୍ର ଇତ୍ୟାଦିରେ ଅଶ୍ଳୀଳତା ମିଳିପାରେ ।
ଯଦି ନିଲାମ ହୁଏ, ତେବେ କଟକଣା ଲାଗିପାରେ । ସିଜେଆଇ କହିଛନ୍ତି, ବ୍ୟକ୍ତିଗତ ୟୁଟ୍ୟୁବ୍ ଚ୍ୟାନେଲ କିମ୍ବା ପ୍ଲାଟ୍ଫର୍ମରେ କଂଟେଟ୍ ପକାଇବା ଉପରେ କେହି କାହିଁକି ଉତରଦାୟୀ ନୁହନ୍ତି?
ଅଭିବ୍ୟକ୍ତିର ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାକୁ ‘ବିକୃତ’ ଭାବରେ ଦେଖାଇବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । କିଛି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ କହିଛନ୍ତି ଯେ ସେମାନେ ସ୍ୱେଚ୍ଛାକୃତ ଭାବରେ ଡିଜିଟାଲ୍ ମିଡିଆ ନୈତିକତା ପାଳନ କରୁଛନ୍ତି, କିନ୍ତୁ ତାକୁ ପର୍ଯ୍ୟାପ୍ତ ବୋଲି ଗ୍ରହଣ କରାଯାଇ ନପାରେ ।
ଜଷ୍ଟିସ ଜୟମାଲା ବାଗ୍ଚୀ କହିଛନ୍ତି, ଏପରି କଂଟେଟ୍ ପାଇଁ ଚେତାବନୀ ରହିବା ଦରକାର । ମାତ୍ର ସିଜେଆଇ କହିଛନ୍ତି, କେବଳ ଚେତାବନୀ ବା ଡିସ୍କ୍ଲେମର ରହିବା ଜରୁରୀ ନୁହେଁ । ଏଥିପାଇଁ ବୟସର ଭେରିଫିକେସନ୍ ଜରୁରୀ । ଏହାକୁ ନେଇ ପପୁଲାର ପୋଡକାଷ୍ଟର ରଣବୀର ଆହ୍ଲାବାଦିଆ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା । ଯାହା ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।