ରୋହିଙ୍ଗ୍ୟା ପ୍ରତି ଥାର୍ଡ ଡିଗ୍ରୀକୁ ବାରଣ, ଅନୁପ୍ରବେଶକୁ ନାପସନ୍ଦ କଲେ ସୁପ୍ରିମକୋର୍ଟ

ମଙ୍ଗଳବାର ସୁପ୍ରିମକୋର୍ଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ….

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ନିଖୋଜ ମାମଲାର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ଦେଶରେ ବେଆଇନ ଭାବରେ ପ୍ରବେଶ କରୁଥିବା ଲୋକଙ୍କୁ ନ୍ୟାୟପାଳିକା ସ୍ୱତନ୍ତ୍ର ସୁରକ୍ଷା ଦେବାର ଆଶା କରିହେବ କି? କୋର୍ଟ କହିଛନ୍ତି, ‘ଉତର ପୂର୍ବରେ ଆମର ସୀମା ଅତ୍ୟନ୍ତ ସମ୍ବେଦନଶୀଳ । ଆମେ ଏହି ମାମଲାରେ କୌଣସି ବିପଦ ନେଇପାରିବୁ ନାହିଁ ।’ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ‘ଆପଣ କ\’ଣ ଚାହାଁନ୍ତି ଯେ ଆମେ ସେମାନଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇବୁ? ରୋହିଙ୍ଗ୍ୟା ଶରଣାର୍ଥୀ ଗଳାବାଟ ଦେଇ ଭାରତରେ କାହିଁକି ପ୍ରବେଶ କରୁଛନ୍ତି? ଭାରତରେ ପ୍ରବେଶ କରିବା ପରେ ଖାଦ୍ୟ ଏବଂ ଆଶ୍ରୟ ଭଳି ମୌଳିକ ଅଧିକାର ଦାବି କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ‘ହେଭିୟର୍ସ କର୍ପସ’ ଆବେଦନ ଉପରେ ଶୁଣାଣି କରୁଥିଲେ । ଆବେଦନରେ ଅଭିଯୋଗ ରହିଥିଲା, ଚଳିତ ମେ’ ମାସରେ ଦିଲ୍ଲୀ ପୁଲିସ କିଛି ରୋହିଙ୍ଗ୍ୟା ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତା’ ପରେ ସେମାନେ ନିଖୋଜ ଅଛନ୍ତି । ଏଥିରେ ଦାବି କରାଯାଇଥିଲା, ସେମାନଙ୍କୁ ଦେଶକୁ ଫେରାଇ ଅଣାଯାଉ । ଏହା ପୁରା ଆଇନଗତ ପ୍ରକ୍ରିୟା ଭାବରେ ହେବା ଦରକାର ।

ରୋହିଙ୍ଗ୍ୟାଙ୍କୁ ଆଶ୍ରୟ ଦେବା ଜରୁରୀ? ମାମଲାର ଶୁଣାଣି ବେଳେ ସିଜେଆଇ କହିଥିଲେ, ଭାରତ ସରକାରଙ୍କ କେଉଁ ନିର୍ଦ୍ଦେଶ ଅନୁଯାୟୀ ଶରଣାର୍ଥୀ ଘୋଷିତ କରାଯିବ? ଶରଣାର୍ଥୀ ଛୋଟିଆ ଶବ୍ଦ ନୁହେଁ । ଯଦି କେହି ଆଇନଗତ ମାନ୍ୟତା ପାଇନାହିଁ ତେବେ ସେ ଅନୁପ୍ରବେଶକାରୀ । ଆମର କ’ଣ ଏହା ଦାୟିତ୍ୱ ଯେ, ଆମେ ତାଙ୍କୁ ଏଠାରେ ରଖିବା? ଯଦି ତାଙ୍କ ପାଖରେ ଭାରତରେ ରହିବାର ଆଇନଗତ ଅଧିକାର ନାହିଁ, ତେବେ ସେମାନେ ଅନୁପ୍ରବେଶକାରୀ । ସେଭଳି ପରିସ୍ଥିତିରେ ଆମେ କ’ଣ ଉତର ଭାରତର ଖୁବ୍ ସମ୍ବେଦନଶୀଳ ସୀମାରେ ଅନୁପ୍ରବେଶକାରୀଙ୍କୁ ରେଡ୍ କାର୍ପେଟ୍ ବିଛାଇ ସ୍ୱାଗତ କରିବା? ଆଦେନକାରୀଙ୍କ ଓକିଲ କହିଥିଲେ, ରୋହିଙ୍ଗ୍ୟାମାନେ ଶରଣାର୍ଥୀ ମାନ୍ୟତା ମାଗୁନାହାନ୍ତି, ବରଂ ଦାବି କରୁଛନ୍ତି, କୌଣସି ନିର୍ବାସନ ପ୍ରକ୍ରିୟା ଯଦି କରାଯାଉଛି, ତେବେ ତାହା ଆଇନଗତ ହେଉ ।
ବେଆଇନ ଭାବରେ ଆସି ଅଧିକାର ମାଗୁଛନ୍ତି

ସିଜେଆଇ କହିଥିଲେ, ପ୍ରଥମେ ରୋହିଙ୍ଗ୍ୟା ବେଆଇନ ଭାବରେ ଅନୁପ୍ରବେଶ କରିବେ । ସୁଡଙ୍ଗ ଖୋଳି, ବାଡ଼ କାଟି ଭାରତରେ ପ୍ରବେଶ କରିବେ । ଏହାପରେ କହିବେ ମୁଁ ଆସିଗଲି, ତେଣୁ ଭାରତର ଆଇନ ମୋ ଉପରେ ଲାଗୁ ହେଉ । ମୋତେ ଖାଦ୍ୟ, ରହିବାର ସ୍ଥାନ ଓ ପିଲାଙ୍କୁ ଶିକ୍ଷା ସୁବିଧା ମିଳୁ । ସିଜେଆଇ ସ୍ପଷ୍ଟ କରିଛନ୍ତି, ବେଆଇନ ଭାବରେ କେହି ଆସିଲେ, ସେମାନଙ୍କ ପ୍ରତି ଥାର୍ଡ ଡିଗ୍ରୀ ପ୍ରୟୋଗ କରା ନଯାଉ ।