ଭାରତ-ରୁଷ ବନ୍ଧୁତା ଧ୍ରୁବତାରା ଭଳି ଚମକୁଛି: ପ୍ରଧାନମନ୍ତ୍ରୀ ମୋଦିଜୀ

ନୂଆଦିଲ୍ଲୀରେ ରୁଷିଆ ରାଷ୍ଟ୍ରପତି …

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କର ଦ୍ୱିତୀୟ ଦିନ ବେଶ ଗରମା ଗରମ ଥିଲା। ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି। ଆଲୋଚନା ଶେଷରେ ରୁଷିଆ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ପୁଟିନ। ରୁଷ୍‌-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେବାକୁ କହିଛନ୍ତି ରୁଷିଆ ରାଷ୍ଟ୍ରପତି। ଭାରତ ଓ ରୁଷିଆ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ଶକ୍ତି, ପରିବହନ, ଯୋଗାଯୋଗ , ବିଜ୍ଞାନ, ସାମରିକ ଓ ଦୁଇ ଦେଶର ଆର୍ଥିକ ବିକାଶ ପ୍ରକଳ୍ପ ଆଦି ଉପରେ ହୋଇଛି ରାଜିନାମା।

ରାଷ୍ଟ୍ରପତି ପୁଟିନଙ୍କ ଉପସ୍ଥିତିରେ ପିଏମ୍‌ ମୋଦି କହିଛନ୍ତି, ଭାରତ-ରୁଷ୍‌ ବନ୍ଧୁତା ଧ୍ରୁବ ତାରା ଭଳି ଚମକୁଛି। ପିଏମ୍‌ ମୋଦି କହିଛନ୍ତି ଯେ, ଉଭୟ ଦେଶ ସବୁ ମଂଚରେ ସହଯୋଗ ଓ ସମର୍ଥନ ଜାରି ରଖିବାକୁ ନିଷ୍ପତି ନେଇଛନ୍ତି। ସେମାନେ କହିଛନ୍ତି ଭାରତ ସବୁ ରୁଷୀୟ ନାଗରିକଙ୍କ ପାଇଁ ୩୦ ଦିନର ନିଃଶୁଳ୍କ ଇ-ଟୁରିଷ୍ଟ ଭିସା ଜାରି କରିବ।
ମିଳିତ ସାମ୍ୱାଦିକ ସମ୍ମିଳନୀରେ ପିଏମ୍‌ମୋଦି କହିଛନ୍ତି, ଭାରତ ଓ ରୁଷ୍‌ ୨୦୩୦ ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ଉପରେ ରଣନୀତି ଓ ସହମତି ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି, ରୁଷିଆ ସହ ଆର୍ଥିକ ସହଯୋଗ ନୂଆ ଶିଖର ଯାଏ ନେଇଯିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ଓ ରୁଷ୍‌ ମାଇଗ୍ରେସନ ଓ ଯାତାୟାତ ଆହୁରି ସହଜ ସାଧ୍ୟ ହେବା ଦିଗରେ ଚୁକ୍ତିନାମା କରାଯାଇଛି।

ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନାରେ ଉଭୟ ଦେଶ ପୋର୍ଟ ( ବନ୍ଦର) ଓ ସିପିଂ ସେକ୍ଟର (ବନ୍ଦର ପରିବହନ)ରେ ସହଯୋଗ ପାଇଁ ମଧ୍ୟ ଯୁଗ୍ମ ଘୋଷଣାନାମା ଉପରେ ଦସ୍ତଖତ କରିଛନ୍ତି। ସେ କହିଛନ୍ତି, ଭାରତ ଓ ରୁଷ୍‌ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସହଯୋଗ ସହ ଜଡ଼ିତ ଚୁକ୍ତିନାମା ଉପରେ ମଧ୍ୟ ଦସ୍ତଖତ କରିଛନ୍ତି। ଗତ ଆଠ ଦଶନ୍ଧିରେ ବିଶ୍ୱ ଅନେକ ଉତ୍‌ଥାନ ପତନ ଦେଖିଛି। ମାନବିକତାକୁ ଅନେକ ଚ୍ୟାଲେଞ୍ଜ ଓ ମୁସ୍କିଲ ଭିତରେ ଗତି କରିବାକୁ ପଡ଼ିଛି। କିନ୍ତୁ ଏସବୁ ମଧ୍ୟରେ, ଭାରତ-ରୁଷ୍‌ ବନ୍ଧୁତା ଧ୍ରୁବତାରା ପରି ସର୍ବଦା ଚମକୁଛି ଏବଂ ଦୃଢ ଭାବେ ରହିଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଓ ରୁଷ୍‌ ୟୁରେସିୟନ ଇକୋନମିକ ୟୁନିୟନ ସହ ଏଫ୍‌ଟିଏକୁ ଖୁବ୍‌ ଶୀଘ୍ର ଅନ୍ତିମ ରୂପ ଦେବା ଦିଗରେ କାମ କରୁଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବଢାଇବା ଆମର ପ୍ରାଥମିକତା ଏବଂ ଏଥିପାଇଁ ୨୦୩୦ ଯାଏ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ଉପରେ ସହମତି ହୋଇଛି। ପିଏମ୍‌ ମୋଦି ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ଭାରତ ରୁଷ୍‌ର ନାଗରିକଙ୍କ ପାଇଁ ଫ୍ରି ଇ-ଟୁରିଷ୍ଟ ଭିସା ଜାରି କରିବ, ଯାହାର ବୈଧତା ୩୦ ଦିନ ପାଇଁ ହେବ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ, ଭାରତ ଆରମ୍ଭରୁ ହିଁ ୟୁକ୍ରେନ୍‌ ମାମଲା ଉପରେ ଶାନ୍ତି ନେଇ ପରାମର୍ଶ ଦେଇ ଆସିଛି।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପିଏମ୍‌ ମୋଦି ଶୁକ୍ରବାର ମିଳିତ ବୟାନ ଦେଇଛନ୍ତି। ପୁଟିନ କହିଛନ୍ତି, ଭାରତକୁ ହେବାକୁ ଥିବା ତୈଳ ଯୋଗାଣରେ କଟକଣା ଲାଗିବ ନାହିଁ, ଏହା ପୂର୍ବ ପରି ଜାରି ରହିବ। ରୁଷିଆ ରାଷ୍ଟ୍ରପତିଙ୍କ ଏହି ବିବୃତିରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ଲାଗିପାରେ। କାରଣ ସେ ଭାରତକୁ ରୁଷିଆ ତେଲ ନ କିଣିବାକୁ ଚାପ ପକାଇଛନ୍ତି। ରୁଷିଆ ତେଲ କିଣୁଥିବାରୁ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ତାରିଫ୍‌ ଲାଗୁ କରିଛନ୍ତି।