ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଡିସେମ୍ବର ୧୦ ତାରିଖରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ଏକ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତିି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି। ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ପୂରଣ ନିମନ୍ତେ ସରକାର ପ୍ରତିଶ୍ରୁତି ଦେଇ ସମସ୍ୟାର ସମାଧାନ ନକରିବା ପ୍ରତିବାଦରେ ଏ ମହାସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅନେକ ଥର ସରକାରଙ୍କ ସହ ସାକ୍ଷାତ ଆଲୋଚନା ହୋଇଛି ଓ ବାରମ୍ବାର ପ୍ରତିଶ୍ରୁତି ମିଳିଛି । ଅଦ୍ୟାବଧି ସରକାର ସମସ୍ୟା ସମାଧାନ କରିବା ପାଇଁ ତିନୋଟି କମିଟି ଯଥା- ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି, ପଲିଟିକାଲ କମିଟି, ସଚିବସ୍ତରୀୟ କମିଟି ଗଠନ କରିସାରିଛନ୍ତି। ମାତ୍ର ଏକ କମିଟି ଗଠନ କରି ଛଅ ମାସ ଭିତରେ ଏ ସମସ୍ୟା ସମାଧାନ କରିବେ ବୋଲି ସରକାର କହିଛନ୍ତି। ତୁରନ୍ତ ଏହି ଉଚ୍ଚସ୍ତରୀୟ କମିଟି ବସି ଛଅମାସ ପରିବର୍ତ୍ତେ ଯଥାଶିଘ୍ର ସମସ୍ତ ବର୍ଗର ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଯଥାସମ୍ଭବ ତାହା ପୂରଣ ହୋଇପାରିବ। ତେଣୁ ସରକାର ଆଉ ଟାଳଟୁଳ ନୀତି ଅବଲମ୍ବନ ନକରି ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ ବୁଭୁକ୍ଷୁ ଅବସ୍ଥାରେ କାର୍ଯ୍ୟ କରୁଥିବା ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନର ବ୍ୟବସ୍ଥା କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଅନୁଦାନ ଓ ପେନସନ୍, ଗ୍ରେଡ଼ ପେରେ ଥିବା ଅସଙ୍ଗତି, ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ, ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା ଆଦି ସମସ୍ୟାଗୁଡ଼ିକର ସମାଧାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ଦାବି କରାଯାଇଛି।
ଆସନ୍ତା ଡିସେମ୍ବର ୧୦ ତାରିଖରେ ହଜାର ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀ କଂଗ୍ରେସଭବନ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପି.ଏମ୍.ଜି. ଅଭିମୁଖେ ଅଗ୍ରସର ହେବେ। ବିଧାନସଭା ସମ୍ମୁଖସ୍ଥ ଗାନ୍ଧିମାର୍ଗରେ ସଭା ଅନୁଷ୍ଠିତ ହେବା ସହିତ ଅହୋରାତ୍ର ଧାରଣା ଜାରି ରହିବ। ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ ପ୍ରମୁଖ କହିଛନ୍ତି।