ନୂଆଦିଲ୍ଲୀ: ବାଧ୍ୟବାଧକତାର ଶିକାର ହୋଇ ଭାରତ ଓ ପାକିସ୍ତାନ ସେନା ଇରାନରେ ହାତ ମିଳାଇଛନ୍ତି ମାତ୍ର କେଇ ଘଂଟା ପାଇଁ। ସେଇ କେତେ ଘଂଟାର ରଣାଭ୍ୟାସ ପାକିସ୍ତାନ ମନରୁ ଭାରତ ପ୍ରତି ଖୁନ୍ଦି ହୋଇ ରହିଥିବା ଘୃଣା ଓ ବିଦ୍ୱେଷକୁ ଦୂର କରିପାରିବନି। ଏସ୍ସିଓ ସଂଗଠନର ମନକୁ ବୁଝାଇବା ପାଇଁ ତୁଚ୍ଛାକୁ ୟେ ରଣାଭ୍ୟାସ।
ଭାରତ ଓ ପାକିସ୍ତାନ ଦୁଇ ପାରମ୍ପରିକ ଶତ୍ରୁ। ଅହି-ନକୁଳ ସଂପର୍କ। ତା’ରି ଭିତରେ ଦୁଇଦେଶର ସେନା ମିଳିତ ରଣାଭ୍ୟାସ କରୁଛନ୍ତି। ଏ ରଣାଭ୍ୟାସ ଦୁଇଦେଶର ଶତ୍ରୁତାକୁ ଖତମ୍ କରିଦେବନି ତ?
ଆଦୌ ନୁହେଁ, ବାଘଛେଳି କେବେ ସଙ୍ଗାତ ହେଲେଣି? ଭାରତ-ପାକିସ୍ତାନ ସଂପର୍କ କାହାକୁ ଅଛପା ନାହିଁ। ଦୁଇଦେଶ ଭିତରେ ଏକାଧିକ ଯୁଦ୍ଧ ହୋଇସାରିଛି। ଭାରତ-ପାକ୍ କ୍ରିକେଟ୍ ମ୍ୟାଚ୍ ଦେଖଣାହାରୀଙ୍କୁ ମହାଯୁଦ୍ଧ ପ୍ରତୀୟମାନ ହୋଇଥାଏ। ନିକଟ ଅତୀତରେ ଭାରତ-ପାକ୍ ସେନା ଚାରିଦିନ ପାଇଁ ଲଢ଼ିଥିଲେ। ଏବେ ସେହି ଦୁଇଦେଶ ସୁଦୂର ଇରାନରେ ମିଳିତ ରଣାଭ୍ୟାସ କରୁଛନ୍ତି। କଥାଟା ଟିକେ ଅଡୁଆ ଲାଗୁଥିବ, ମାତ୍ର ପରିସ୍ଥିତିରେ ପଡ଼ି ବାଘ-ଛେଳି ଯଦି ଗୋଟିଏ ତୁଠରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଭାରତ-ପାକ୍ ସେନା ମିଳିତ ରଣାଭ୍ୟାସ କରିବେନି କ’ଣ ପାଇଁ?
ଅସଲ କଥାଟି, ଇରାନରେ ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍ସିଓ) ଆନୁକୂଲ୍ୟରେ ଆତଙ୍କୀ ବିରୋଧରେ ଲଢେ଼ଇ ଅଭ୍ୟାସ ଚାଲିଛି। ଉକ୍ତ ଅଭ୍ୟାସରେ ଭାରତ ଓ ପାକିସ୍ତାନ ସେନାକୁ ମିଳିତ ଭାବେ ଲଢ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସାମରିକ ବିଶେଷଜ୍ଞଙ୍କ ମତରେ ଭାରତ-ପାକିସ୍ତାନ ତିକ୍ତତାକୁ ଦୁଇଦେଶର ରଣାଭ୍ୟାସ ଦୂର କରିପାରିବନି। ଏସ୍ସିଓ ସଂଗଠନ ମନକୁ ବୁଝାଇବା ପାଇଁ ‘ମିଳିତ ରଣାଭ୍ୟାସ’ ଏକ ମହାନାଟକ ପ୍ରତୀୟମାନ ହୁଏ।
ଡିସେମ୍ବର ପହିଲାରୁ ଇରାନର ପୂର୍ବ ଆଜେରବାଇଜାନ୍ ପ୍ରଦେଶରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ରଣାଭ୍ୟାସ ଆରମ୍ଭ ହୋଇଛି। ଡିସେମ୍ବର ୫ ତାରିଖରେ ରଣାଭ୍ୟାସ ଶେଷ ହେବ।
ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍ସିଓ) ଅନ୍ତର୍ଗତ ୧୦ଟି ସଭ୍ୟ ଦେଶ ଇରାନ, ଚୀନ, ରୁଷିଆ, ଭାରତ, ପାକିସ୍ତାନ, କାଜାକସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଓ ବେଲାରୁଷ ରଣାଭ୍ୟାସରେ ଯୋଗଦାନ କରିଛନ୍ତି।
୨୦୦୩ ମସିହାରୁ ଏସ୍ସିଓ ପକ୍ଷରୁ ପ୍ରତିବର୍ଷ ରଣାଭ୍ୟାସ ହୋଇଆସୁଛି। ଏଭଳି ରଣାଭ୍ୟାସର ମୂଳ ଉଦ୍ଦେଶ୍ୟ ହେଉଛି ଆତଙ୍କୀ ସଂଗଠନ ବିରୋଧରେ ମିଳିତ ମୁକାବିଲା। ୨୦୧୮ ମସିହାରେ ଭାରତ-ପାକିସ୍ତାନ ମିଳିତ ରଣାଭ୍ୟାସ କରିଥିଲେ। ଉଭୟ ଦେଶ ଭିତରେ ସହଯୋଗ, ସମନ୍ୱୟ, ଗୁପ୍ତ ସୂଚନା ଆଦାନ ପ୍ରଦାନ, ଆତଙ୍କୀ ଧମକକୁ ମିଳିତ ମୁକାବିଲା କରିବା ଜରୁରୀ।
ମିଳିତ ରଣାଭ୍ୟାସର ଉଦ୍ଦେଶ୍ୟ ମହତ୍, କିନ୍ତୁ ପାକିସ୍ତାନ କେବଳ ଔପଚାରିକତା ଦୃଷ୍ଟିରୁ ରଣାଭ୍ୟାସ କରୁଛି। ରଣାଭ୍ୟାସରୁ ପ୍ରକୃତ କ୍ରିମ୍ ପାକିସ୍ତାନର ଦରକାର ନାହିଁ।
ଏହି କ୍ରମରେ ଜେଏନ୍ୟୁ ପ୍ରଫେସର ସ୍ୱରନ୍ ସିଂ କହନ୍ତି, ମିଳିତ ରଣାଭ୍ୟାସରୁ ଭାରତ ଓ ପାକିସ୍ତାନ ସେନା ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରିବା ଦରକାର। ଭାରତର ସେନା ପାକିସ୍ତାନ ସେନାର ବଳ ଓ କଳ କଷିବାକୁ ସୁଯୋଗ ପାଇଛି। ଭାରତ ଏଭଳି ସୁଯୋଗର ସଦ୍ବ୍ୟବହାର କରିବା ଉଚିତ।