ନିର୍ମାତା ଭି. ଶାନ୍ତାରାମଙ୍କ ଜୀବନ ଉପରେ ଆଧାରିତ ବାୟୋଗ୍ରାଫିକାଲ ଫିଲ୍ମ ‘ଭି. ଶାନ୍ତାରାମ’ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀ ଶାନ୍ତାରାମ ଭୂମିକାରେ ଅଭିନୟ କରିଛନ୍ତି । ଶାନ୍ତାରାମ ଭାରତୀୟ ସିନେମାର ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ମାତା, ସମାଜ ସଂସ୍କାରକ ଓ କଳାକାର ଥିଲେ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତମନ୍ନା ଭାଟିଆ । ସେ ଶାନ୍ତାରାମଙ୍କ ପତ୍ନୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ଜୟଶ୍ରୀଙ୍କ ଭୂମିକାରେ ପରଦାକୁ ଆସିବେ । ମଙ୍ଗଳବାର ଫିଲ୍ମର ନୂଆ ପୋଷ୍ଟର ସାମ୍ନାକୁ ଆସିଛି, ଯେଉଁଥିରେ ତମନ୍ନା ଗୋଲାପି ଶାଢ଼ି ପିନ୍ଧିଛନ୍ତି । ତାଙ୍କ ଲୁକ୍ ପୁରୁଣା ଦିନର ସ୍ମୃତିକୁ ତାଜା କରିଛି । ଜୟଶ୍ରୀ ଭାରତୀୟ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ ଓ ଗାୟିକା ଥିଲେ । ସେ ଗୁଜରାଟ ଥିଏଟରରୁ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ଫିଲ୍ମ ଦୁନିଆକୁ ଆସିଥିଲେ । ସେ ଭି. ଶାନ୍ତାରାମଙ୍କ ନିର୍ଦ୍ଦେଶିତ ଫିଲ୍ମ ଶକୁନ୍ତଳା, ଡ. କୋଟନିସ୍ କି ଅମର କାହାନୀ, ଦହେଜ୍ ଓ ପରଛାଇୟାଁରେ କାମ କରିଥିଲେ । ତମନ୍ନା ନିଜ ଚରିତ୍ର ବିଷୟରେ କହିଛନ୍ତି, ଏହାକୁ ପରଦାରେ ନିର୍ବାହ କରିବା ଏକ ବଡ଼ ଦାୟିତ୍ୱ । ଜୟଶ୍ରୀ ସେ ସମୟର ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ୱ ଥିଲେ, ଯାହା ଭାରତୀୟ ସିନେମା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ନିଜ କାମରେ ଯେମିତି ଶାଳୀନତା ଓ ଗରିମା ପ୍ରଦର୍ଶନ କରିଥିଲେ, ତାହା ପ୍ରେରଣାପ୍ରଦ । ଭି. ଶାନ୍ତାରାମଙ୍କ ଦୁନିଆକୁ ବୁଝିବା ମୋ ପାଇଁ ଏକ ସ୍ୱତନ୍ତ୍ର ଅନୁଭବ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶିରିଷ ଦେଶପାଣ୍ଡେ ।