ପାକିସ୍ତାନ କାଠଗଡ଼ାରେ ‘ଧୁରନ୍ଧର’ ଟିମ୍‌: ପିପିପି ଓ ବେନଜିର ଭୁଟ୍ଟୋଙ୍କୁ କଟାକ୍ଷ!

ଭାରତରେ ମୁକ୍ତିଲାଭ କରିଛି ରଣବୀର ସିଂ ଅଭିନୀତ ….

ଇସଲାମାବାଦ: ଭାରତରେ ମୁକ୍ତିଲାଭ କରିଛି ରଣବୀର ସିଂ ଅଭିନୀତ ବଲିଉଡ୍‌ ଚଳଚ୍ଚିତ୍ର ‘ଧୁରନ୍ଧର’। ନିକଟ ଅତୀତରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତୀୟ ଦର୍ଶକଙ୍କୁ ଭାରି ବଢ଼ିଆ ଲାଗିଛି। ମାତ୍ର ପାକ୍‌ ସରକାର, ପାକ୍‌ ଅଦାଲତ ଓ ପାକିସ୍ତାନ ପିପୁଲ୍ସ ପାର୍ଟିକୁ ଭାରି ଗନ୍ଧେଇଛି ‘ଧୁରନ୍ଧର’। ପାକିସ୍ତାନ ଅଦାଲତରେ ‘ଧୁରନ୍ଧର’ ବିରୋଧରେ ଏକ ମାମଲା ଆଗତ କରାଯାଇଛି।
ଚଳଚ୍ଚିତ୍ରଟିର କାହାଣୀ ପାକିସ୍ତାନରେ ଘଟିଥିବା ଏକ ସତ୍ୟ କାହାଣୀ ଉପରେ ଆଧାରିତ ହୋଇଥିବାରୁ ତା’ର ପ୍ରଦର୍ଶନ ପ୍ରତି ଘୋର ଆପତି କରିଛନ୍ତି କରାଚୀ କୋର୍ଟ। ପାକିସ୍ତାନରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିବାରୁ ହିନ୍ଦି ଚଳଚ୍ଚିତ୍ର ‘ଧୁରନ୍ଧର’କୁ ବାସନ୍ଦ କରିଛନ୍ତି କିଛି ତୈଳ ଉତ୍ପାଦନକାରୀ ଦେଶ। ପାକିସ୍ତାନ ପିପୁଲ୍‌ସ ପାର୍ଟିର ଜଣେ କର୍ମୀ ମହମ୍ମଦ ଆମୀର ଏକ ପିଟିସନ୍‌ ଜରିଆରେ କରାଚୀ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ‘ଧୁରନ୍ଧର’ ଟିମ୍‌ର ପାକ୍‌ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରାର୍ଥନା କରିଛନ୍ତି। ପାକିସ୍ତାନ ପିପୁଲ୍‌ସ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଭାବମୂର୍ତିକୁ କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ କରିଛନ୍ତି। ପାକିସ୍ତାନ ପିପୁଲ୍‌ସ ପାର୍ଟିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟକୁ କଦର୍ଥ କରୁଥିବା ଅଭିଯୋଗ କରିଛନ୍ତି। ମୋଟ ଉପରେ କହିଲେ, ପାକିସ୍ତାନ ସରକାରଙ୍କ ବିନା ଅନୁମତିରେ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ବିକୃତ ଚିତ୍ରଣ କରାଯାଇଛି ଓ ତାକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରି ପାକିସ୍ତାନକୁ ବଦନାମ କରିବାର ପ୍ରୟାସ ଚାଲିଛି ବୋଲି ଅଭିଯୋଗ କରାଯାଇଛି।

‘ଧୁରନ୍ଧର’ ଚଳଚ୍ଚିତ୍ରଟିର ବିଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ କଳାକାରଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିନେତା ସଞ୍ଜୟ ଦତ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ, ଆର. ମାଧବନ୍‌, ସାରା ଅର୍ଜୁନ, ରାକେଶ ବେଦୀ, ନିର୍ଦ୍ଦେଶକ ଆଦିତ୍ୟ ଧର, ପ୍ରଯୋଜକ ଲୋକେଶ ଧର ଓ ଜ୍ୟୋତି କିଶୋର ଦେଶପାଣ୍ଡେଙ୍କୁ ପକ୍ଷଭୁକ୍ତ କରାଯାଇଛି।
ପିଟିସନରେ କରାଚୀର ଲ୍ୟାରି ସହରକୁ ଆତଙ୍କୀ ସଂଗଠନର ଯୁଦ୍ଧକ୍ଷେତ୍ର ରୂପେ ଚିତ୍ରଣ କରାଯାଇଛି। ପାକିସ୍ତାନ ପେନାଲ କୋଡ୍‌ର ଧାରା-୪୯୯, ୫୦୦, ୫୦୨, ୫୦୪, ୫୦୫, ୧୫୩-ଏ ଓ ୧୦୯ ଆଧାରରେ ମାମଲା ରୁଜୁ କରାଯାଇଛି। ଆବେଦନକାରୀ ଆମୀର ଏହା ମଧ୍ୟ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ସେ ‘ଧୁରନ୍ଧର’ ଟିମ୍‌ର ପାକିସ୍ତାନ ବିରୋଧୀ କାର୍ଯ୍ୟକଳାପ ସଂପର୍କରେ ପାକିସ୍ତାନର ଏକ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ମାତ୍ର ସଂପୃକ୍ତ ପୁଲିସ ଷ୍ଟେସନ୍‌ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା।

ସୂଚନାଯୋଗ୍ୟ, ‘ଧୁରନ୍ଧର’ ଚଳଚ୍ଚିତ୍ରଟି ପାକିସ୍ତାନ ବିରୋଧୀ ହୋଇଥିବାର ଅଭିଯୋଗ କରି ଗଲ୍‌ଫ ସେନ୍‌ସର କମିଟି ତା’ର ମୁକ୍ତିଲାଭକୁ ଏଡାଇ ଯାଇଛି। ଫଳରେ ବାହାରିନ୍‌, କୁଏତ୍‌, ଓମାନ, କାତାର, ସାଉଦି ଆରବ ଓ ୟୁଏଇରେ ‘ଧୁରନ୍ଧର’ ନାଲିଫିତା ତଳେ ରହିଛି। ମଧ୍ୟପ୍ରାଚ୍ୟକୁ ବାଦ ଦେଲେ, ଭାରତ ଓ ଦରିଆପାରି ମନୋରଞ୍ଜନ ଦୁନିଆରେ ‘ଧୁରନ୍ଧର’ ଆଦୃତ ହୋଇଛି।