ଏକ ଫିଲ୍ମ ସମାରୋହରେ ସାଉଥ୍ ଷ୍ଟାର୍ ଋଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା ଚାପ୍ଟର-୧’ ଉପରେ ଟିପ୍ପଣୀ ଦେଇ ଅଡୁଆରେ ଫସିଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ । ଧାର୍ମିକ ଭାବନାକୁ ଆହତ କରିବା, ଦୈବ ପରମ୍ପରାର ଅପମାନ ଏବଂ ହିନ୍ଦୁ ବିଶ୍ୱାସର ଉପହାସ ପାଇଁ ପ୍ରଶାନ୍ତ ମେଥଲ ନାମକ ଜଣେ ବ୍ୟକ୍ତି ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।ପ୍ରଶାନ୍ତ ମେଥଲ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ୍?ସ ଥାନାରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୨୯୯, ୩୦୨ ତଥା ୧୯୬ ଅନ୍ତର୍ଗତ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ନିଜ ଅଭିଯୋଗରେ ଲେଖିଛନ୍ତି, ମୁଁ ଉପରୋକ୍ତ ଠିକଣାର ବାସିନ୍ଦା ଏବଂ ଭାରତର ଆଇନ ପାଳନ କରୁଥିବା ଜଣେ ନାଗରିକ ଓ ଅଧିବକ୍ତା । ବଲିଉଡ୍ ଅଭିନେତା ରଣବୀର ସିଂହଙ୍କର ଅବୈଧ ଏବଂ ଆପତ୍ତିଜନକ କାର୍ଯ୍ୟକୁ ତତ୍କାଳ ସଂଜ୍ଞାନକୁ ଆଣିବା ପାଇଁ ମୁଁ ଏହି ମାମଲା ରୁଜୁ କରିଛି । ଋଷଭ ଫିଲ୍ମରେ ଦେବୀ ଚାମୁଣ୍ଡେଶ୍ୱରୀ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ଦୈବ ଦୃଶ୍ୟରେ ଋଷଭଙ୍କ ଚରିତ୍ରକୁ ରଣବୀର ଥଟ୍ଟା କରିଥିଲେ । ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା । ମାମଲାର ଗମ୍ଭୀରତାକୁ ଦେଖି ରଣବୀର ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ମାଗିଲେ । କିନ୍ତୁ ଅଡୁଆ ଅଦ୍ୟାବଧି ତାଙ୍କ ପିଛା ଛାଡ଼ିନି ।