ନୂଆଦିଲ୍ଲୀ: ମଝି ଆକାଶରେ ହଠାତ୍ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି। କାଳବିଳମ୍ବ ନକରି ପାଇଲଟ୍ ଜଣକ ବିମାନର ଜରୁରୀ ଅବତରଣ ପାଇଁ ଅପିଲ କଲେ। ଠିକ ସମୟରେ ଏୟାର ଇଣ୍ଡିଆ ବିମାନଟି କୋଚି ବିମାନ ବନ୍ଦରରେ ସୁରକ୍ଷିତ ସହକାରେ ଅବତରଣ କରିଥିଲା। ସୂଚନା ଅନୁସାରେ ଜେଦ୍ଦାରୁ କୋଝିକୋଡ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆଇଏକ୍ସ-୩ଏୟାର ଇସକ୍ସ୯୮ରେ ଲ୍ୟାଣ୍ଡିଂ ଗିଅର ଏବଂ ଟାୟାରରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ବିମାନରେ ୧୬୦ଜଣ ଯାତ୍ରୀ ଯାତ୍ରା କରୁଥିଲେ।
ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, ବିମାନରୁ ବାର୍ତା ପାଇବା ମାତ୍ରେ ସମସ୍ତ ଜରୁରୀ କାଳୀନ ସେବା ସକ୍ରିୟ କରାଯାଇଥିଲା। ଯାତ୍ରୀ କିମ୍ବା କର୍ମଚାରୀଙ୍କ ମଧ୍ୟରେ କୌଣସି ଆହତ ହୋଇ ନଥିବା ତଥ୍ୟ ରହିଛି। ଯାଂଚ୍ କରିବାରୁ ବିମାନଟିର ଡାହାଣ ପାର୍ଶ୍ୱ ଟାୟାର ଫାଟି ଯାଇଥିବା ଜଣାପଡ଼ିଥିଲା।