ଅସୁରାଳି: ଧୂଷୁରୀ ପଞ୍ଚାୟତର ଦେଉଳଡ଼ିହ ରାଜସ୍ବ ଗ୍ରାମ ଅଧୀନ ନରସିଂହପୁର ମୌଜାର ଖାତା ନମ୍ବର ୮୧୧ ଓ ପ୍ଲଟ ନମ୍ବର ୨୨୧୧ (କିସମ: ହାଟ) ଉପରେ ବୁଲ୍ଡୋଜର ବୁଲିଛି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ସମ୍ମାନ ଦେଇ ରାଜସ୍ବ ବିଭାଗ ଦ୍ବାରା ଏହି ଉଚ୍ଛେଦ ଆରମ୍ଭ କରାଯାଇଥିଲା I ପ୍ରଥମେ ଜମିର ସୀମା ନିର୍ଧାରଣ କରାଯାଇଥିଲା। ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଉଚ୍ଛେଦ ସମୟରେ ଉତ୍ତେଜନା ଦେଖୁବାକୁ ମିଳିଥିଲା I ତେବେ ସନ୍ଧ୍ୟା ହୋଇଯିବାରୁ ତହସିଲଦାର ତାଙ୍କୁ ୨ଦିନ ସମୟ ଦେଇଛନ୍ତି | ୨ଦିନ ଭିତରେ ଜିନିଷ ପତ୍ର କାଢ଼ି ନେବାକୁ କହିଥିଲେ | ଯଦି ୨ଦିନ ଭିତରେ ଜିନିଷ ପତ୍ର ନ ନିଅନ୍ତି ତାହେଲେ ପ୍ରଶାସନ ଜବତ କରିବ ବୋଲି କୁହାଯାଇଛି।
ଏହି ଅବସରରେ ବହୁ ପ୍ରଶାସନିକ ଅଧିକାରୀ ଧାମନଗର ତହସିଲଦାର ସାଇ ଲୋକନାଥ ସେଠୀ, ଧୂଷୁରୀ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ, ଅତିରିକ୍ତ ତହସିଲଦାର ସାଇ ସାଲୋନି, ସୁପରଭାଇଜର ଗିରୀଶ ନାୟକ, ଧୂଷୁରୀ ରାଜସ୍ବ ଅଧିକାରୀ ସୁଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଦିନ ୧୧ଟାରୁ ମାପଚୁପ ଆରମ୍ଭ ହୋଇଥିଲା ବେଳେ ଅପରାହ୍ଣ ୪ଟା ୩୦ରୁ ଉଚ୍ଛେଦ ଆରମ୍ଭ ହୋଇଥିଲା I ପରେ ଦୁଇ ଦିନ ସମୟ ଦିଆଯାଇ ସ୍ଥଗିତ ରଖାଯାଇଥିଲା I ଏହି ସମୟସୀମା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଉଚ୍ଛେଦ କାର୍ଯ୍ୟ ସମଯରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା I ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଧୂଷୁରୀ ଥାନାଧୂକାରୀ ଗୋଟିଏ ବ୍ୟକ୍ତିଙ୍କୁ ଅଟକ କରିଥିଲେ I ଦିନକୁ ଦିନ ଧୂଷୁରୀ ବଜାରରେ ଟ୍ରାଫିକ୍ ଜାମ ରହୁଛି ତେଣୁ ପ୍ରତ୍ୟେକ ଦିନ ସମସ୍ୟା ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।