କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାର ତଦନ୍ତ ଆଗକୁ ବଢ଼ିବା ଫଳରେ ଅର୍ପିତା ଚୌଧୁରୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି? କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଶୁଣିବାକୁ ମିଳେ। ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ ଓ ଅର୍ପିତା ଆଗୁଆ ଜାମିନ ଆବେଦନ କରିଛନ୍ତି। ଗିରଫଦାରୀକୁ ଏଡାଇବା ଲାଗି ଜାମିନ୍ ଆବେଦନ କରିଥିବା କଥା ସାମ୍ନାକୁ ଆସିଛି। ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନାଙ୍କ ଏତଲା ପରେ ଉଚ୍ଚ ଅଦାଳତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିବାଦୀୟ କଣ୍ଠଶିଳ୍ପୀ। ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ପୁଅ ମୃତ୍ୟୁକୁ ଆଧାର କରି ୯ ଜଣଙ୍କ ନାଁରେ ସଙ୍ଗିନ୍ ଅଭିଯୋଗ କରିଥିଲେ। ଏତଲା ଆଧାରରେ କମିଶନରେଟ୍ ପୁଲିସ ମାମଲାର ଖୋଳତାଡ଼ କରୁଛି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ହ୍ୟୁମାନଙ୍କ ମା’ ଶେଫାଳି ସୁନା ପୁଅର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ମର୍କତନଗର ଥାନାରେ ଏତଲା ଦେଇଥିଲେ। ଉକ୍ତ ଏଫ୍ଆଇଆର୍ରେ ଶେଫାଳୀ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସମେତ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ। ମା’ ଶେଫାଳି ହ୍ୟୁମାନଙ୍କ ମୃତ୍ୟୁର କିଛି ସନ୍ଦିଗ୍ଧ କାରଣ ମଧ୍ୟ ଦର୍ଶାଇଛନ୍ତି। ସମ୍ଭବତଃ ବିଷ ଦିଆଯିବା, ଶାରୀରିକ ଆଘାତ ପହଂଚାଇବା, ମାନସିକ ନିର୍ଯାତନା ଦେବା, ଧମକ ଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଛନ୍ତି ମା’ଶେଫାଳି।