କୋଣାର୍କରୁ ଚନ୍ଦ୍ରଭାଗା ଗଡିଲା ସୂର୍ଯ୍ୟରଥ, ବାହୁଡ଼ିବେ ମାଘ ସପ୍ତମୀରେ
କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଗଡ଼ିଛି ….
କୋଣାର୍କ: କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଗଡ଼ିଛି ସୂର୍ଯ୍ୟ ରଥ। ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟ ନାରାୟଣ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରକୁ ୨୭ ଦିନ ଯାତ୍ରାରେ ବାହାରିଛନ୍ତି। ଏକ ଆଧ୍ୟାତ୍ମିକ ପରିବେଶରେ ଘଂଟଘଂଟା, ଶଙ୍ଖ, ହୁଳହୁଳି ଓ ହରିବୋଲ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ମଠ ପରିସର। ପୌଷ ଶୁକ୍ଲ ଦଶମୀ ତିଥି ଶାମ୍ବଦଶମୀ ଓ ସୂର୍ଯ୍ୟ ନାରାୟଣଙ୍କ ରଥଯାତ୍ରାର ସ୍ୱତନ୍ତ୍ରତା ରହିଛି। ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଦର୍ଶନ କରିଥିଲେ। କୋଣାର୍କ ଅବଧୂତ ମଠ ପରିସର ହୋଇ ଉଠିଥିଲା ଉତ୍ସବ ମୁଖର। ରଥରେ ମିତ୍ରାଦିତ୍ୟଙ୍କୁ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୂର୍ନଜନ୍ମ ନହେବା ପ୍ରତି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଉଦୟ କାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଖେଚୁଡି, ପୋଡପିଠା ଭୋଗ ଓ ପୂଜାର୍ଚ୍ଚନା କରାଯାଇ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥିଲା। ରଥରେ ମଠ ମହନ୍ତ ଆଦିତ୍ୟ ଚରଣ ଦାଶ ଛେରାପହଁରା କରିଥିଲେ। ପରେ ରଥଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ରଥକୁ ଟାଣି ନେଇଥିଲେ। ଚନ୍ଦ୍ରଭାଗା ତୀର୍ଥରେ ୨୭ ଦିନ ଧରି ୨୭ ନକ୍ଷତ୍ରରେ ପୂଜାପାଠ ହେବ। ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ନାରାୟଣ ଅବଧୂତ ମଠକୁ ବାହୁଡ଼ିବେ। ଗାୟତ୍ରୀ ପରିବାର ଓ ସୌର ବ୍ରାହ୍ମଣ ପରିଷଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।