ସମାଜ ସଂସ୍କାରକ ସାବିତ୍ରୀବାଈ ଫୁଲେ

ଭାରତରେ ନାରୀଶିକ୍ଷା ଓ ନାରୀଙ୍କ ଅଧିକାରକୁ ….

ଭାରତରେ ନାରୀଶିକ୍ଷା ଓ ନାରୀଙ୍କ ଅଧିକାରକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ପଛରେ ଯେଉଁ କିଛି ମହିୟସୀ ନାରୀଙ୍କ ଭୂମିକାକୁ ପ୍ରାଥମିକତା ଦିଆଯାଇଥାଏ, ସେମାନଙ୍କ ଭିତରେ ସାବିତ୍ରୀବାଈ ଫୁଲେ ଅନ୍ୟତମ। ପୁରୁଷପ୍ରାଧାନ୍ୟ ସମାଜରେ ଜଣେ ନାରୀକୁ ମୁଣ୍ଡ ଉଠାଇ ବଂଚିବା ଓ ଅନ୍ୟ ମହିଳାଙ୍କୁ ରୋଷେଇଶାଳରୁ ଜାତୀୟ ମଂଚକୁ ଆଣିବା ଆଦୌ ସହଜ ନଥିଲା। ସେଭଳି ଅସାଧ୍ୟ କାର୍ଯ୍ୟକୁ ଦକ୍ଷତାର ସହିତ ସାକାର କରିପାରିଥିଲେ ସାବିତ୍ରୀବାଈ। ଭାରତର ପ୍ରଥମ ମହିଳା ଶିକ୍ଷକ ହୋଇପାରିଥିଲେ ସାବିତ୍ରୀବାଈ। ସେ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା କାମ ପୁରୁଷଙ୍କ ଉପରେ ନ୍ୟସ୍ତ ଥିଲା ଯାହାକୁ ସାବିତ୍ରୀବାଈ ଛଡ଼ାଇ ନେଲେ। ସାବିତ୍ରୀବାଈଙ୍କ ସ୍ୱାମୀ ଜ୍ୟୋତିବା ଫୁଲେ ମଧ୍ୟ ଜଣେ ସମାଜ ସଂସ୍କାରକ। ସ୍ୱାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାବିତ୍ରୀବାଈ ଭାରତୀୟ ମହିଳା ସମାଜର ନେତୃତ୍ୱ ନେଲେ। ମହାରାଷ୍ଟ୍ରରେ ନାରୀଶିକ୍ଷା ଓ ଅଧିକାର ଅଭିଯାନରେ ପ୍ରତ୍ୟେକ ମହିଳାଙ୍କୁ ସାମିଲ କରାଇବା ତାଙ୍କର ମୁଖ୍ୟ କାମ ଥିଲା। ଭାରତରେ ନାରୀ ଜାଗରଣ ମୂଳଦୁଆ ପକାଇଥିଲେ ସାବିତ୍ରୀବାଈ।

ଜାତିଗତ ଓ ଲିଙ୍ଗଗତ ଭେଦଭାବକୁ ଉଭୟ ଜ୍ୟୋତିବା ଓ ସାବିତ୍ରୀବାଈ ନାପସନ୍ଦ କରୁଥିଲେ। ୧୮୪୮ ମସିହାରେ ମହାରାଷ୍ଟ୍ରର ପୁଣେ ଅଂଚଳରେ ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ସାବିତ୍ରୀବାଈ। ତା’ ପରେ ପରେ ୧୮୭୩ ମସିହାରେ ସତ୍ୟଶୋଧକ ସମାଜ ପ୍ରତିଷ୍ଠା କରିଥିଲେ କେବଳ ସତ୍ୟବାଦୀ ପୁରୁଷ ଓ ମହିଳାଙ୍କ ସହଯୋଗରେ। ପରେ ଉକ୍ତ ସଂଗଠନର ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ। ୧୮୩୧ ଜାନୁଆରୀ ୩ ତାରିଖ ଦିନ ମହାରାଷ୍ଟ୍ରର ମାଳି ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ସାବିତ୍ରୀବାଈ। କମ୍‌ ବୟସରେ ଜ୍ୟୋତିବା ଫୁଲେଙ୍କୁ ବିବାହ କଲେ। ବିବାହ ସମୟରେ ସେ ଅପାଠୁଆ ଥିଲେ। ବିବାହ ପରେ ସ୍ୱାମୀ ଜ୍ୟୋତିବା ହିଁ ତାଙ୍କୁ ପାଠ ପଢ଼ାଇଲେ। ପୁଣେ ଓ ଅହମ୍ମଦାବାଦରେ ଶିକ୍ଷକ ତାଲିମ ନେବା ପରେ ଦେଶର ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ହେଲେ। ତକ୍ରାଳୀନ ସମାଜର ପ୍ରତିଟି କଂଟାକୁ ସାହସର ସହିତ ସାମ୍ନା କରିଥିଲେ।

ମହିଳାଙ୍କ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଭୂମିକା ଅବିସ୍ମରଣୀୟ ଥିଲା। ୧୮୫୧ ସୁଦ୍ଧା ସେ ଓ ତାଙ୍କର ସ୍ୱାମୀ ଜ୍ୟୋତିବା ତିନିଟି ବାଳିକା ବିଦ୍ୟାଳୟ ପରିଚାଳନା କରୁଥିଲେ। ପରେପରେ ମହିଳା ସେବା ମଣ୍ଡଳ ପ୍ରତିଷ୍ଠା କରି ମହିଳାଙ୍କ ଅଧିକାର ପାଇଁ ସଂଘର୍ଷ ଜାରି ରଖିଲେ ଓ ପ୍ରତିଷ୍ଠା କଲେ ବାଳହତ୍ୟା ପ୍ରତିବନ୍ଧକ ଗୃହ। ଉକ୍ତ ଗୃହରେ ବିଧବା ମହିଳାଙ୍କ ଥଇଥାନ କରିଥିଲେ। ସ୍ୱାମୀଙ୍କ ସହ ମିଶି ମୋଟ ୧୮ଟି ବିଦ୍ୟାଳୟ ପରିଚାଳନା କଲେ। ଜଣେ ସମାଜ ସଂସ୍କାରକ ହିସାବରେ ସେ ଯେତିକି ଲୋକପ୍ରିୟ ଥିଲେ। ତାଙ୍କ ରଚିତ ‘କାବ୍ୟ ଫୁଲେ’ ଓ ‘ଭବନ କାଶୀ ସୁବୋଧ ରତ୍ନାକର’ ସେତିକି ଆଦୃତ ହୋଇଥିଲା। ୧୮୯୭ ମସିହାରେ ପ୍ଲେଗରେ ଆକ୍ରାନ୍ତ ହୋଇ ସାବିତ୍ରୀବାଈ ଫୁଲେ ଇହଲୀଳା ସମ୍ବରଣ କଲେ। ସେ ହେଉଛନ୍ତି ଭାରତର ଆଧୁନିକ ଶିକ୍ଷା ବ୍ୟବସ୍ଥାର ଜନନୀ।