ନୁକ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗ୍ରୀନ୍ଲାଣ୍ଡକୁ ଦଖଲ କରିବା ପାଇଁ ଚେତାବନୀ ଦେଇଥିବାବେଳେ ଏହାକୁ ବିରୋଧ କରି ସେଠାରେ ଟ୍ରମ୍ପ୍ ବିରୋଧୀ ବିକ୍ଷୋଭ ଜୋର୍ ଧରିଛି। ହଜାର ହଜାର ଗ୍ରୀନ୍ଲାଣ୍ଡ ବାସିନ୍ଦା ତୁଷାର ଓ ବରଫାବୃତ ରାସ୍ତାରେ ଶୋଭାଯାତ୍ରାରେ ବାହାରି ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ସ୍ୱର ଉତୋଳନ କରିଛନ୍ତି। ସେମାନେ ନିଜ ଦେଶର ସ୍ୱାୟତ ଶାସନକୁ ସମର୍ଥନ କରିବା ସହ ‘ଗ୍ରୀନ୍ଲାଣ୍ଡ ବିକ୍ରି ପାଇଁ ନୁହେଁ’ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭ ପ୍ରଦର୍ଶନକାରୀମାନେ ଗ୍ରୀନ୍ଲାଣ୍ଡ ରାଜଧାନୀ ନୁକ୍ ସହରରୁ ଶୋଭାଯାତ୍ରାରେ ବାହାରି ଆମେରିକା ବାଣିଜ୍ୟିକ ଦୂତାବାସ ଅଭିମୁଖେ ବାହାରିଥିଲେ। ବିନା ସଂଘର୍ଷରେ ଆମେ ପରାଜୟ ବରଣ କରିବୁ ନାହିଁ ବୋଲି ସେମାନେ କହିଛନ୍ତି। ରାଜଧାନୀ ନୁକ୍ ସହରର ଲୋକସଂଖ୍ୟା ୨୦,୦୦୦ ହୋଇଥିବା ବେଳେ ବିକ୍ଷୋଭରେ ଏକଚତୁର୍ଥାଂଶ ସାମିଲ ହୋଇଥିଲେ। ଗ୍ରୀନ୍ଲାଣ୍ଡର ଅନ୍ୟ ସହର ସମେତ ଡେନ୍ମାର୍କର କୋପେନହାଗେନ୍ରେ ମଧ୍ୟ ଅନୁରୂପ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରାଯାଇଛି। ନୁକ୍ରେ ଅନୁଷ୍ଠିତ ବିକ୍ଷୋଭରେ ଗ୍ରୀନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ ଫ୍ରେଡ଼ରିକ୍ ନିଏଲ୍ସେନ୍ ଯୋଗ ଦେଇଥିଲେ।
ସେପଟେ ଆମେରିକାର ଗ୍ରୀନ୍ଲାଣ୍ଡ ନିୟନ୍ତ୍ରଣ ଯୋଜନାକୁ ବିରୋଧ କରୁଥିବା ୮ଟି ୟୁରୋପୀୟ ଦେଶରୁ ଆମଦାନୀ ସାମଗ୍ରୀ ଉପରେ ଫେବୃଆରୀରୁ ୧୦ ପ୍ରତିଶତ ଟାରିଫ୍ ଲଗାଇବେ ବୋଲି ଟ୍ରମ୍ପ୍ ଘୋଷଣା କରିଛନ୍ତି। ସେହି ଦେଶଗୁଡ଼ିକ ହେଲା ଡେନ୍ମାର୍କ, ନରୱେ, ସୁଇଡେନ୍, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡସ ଏବଂ ଫିନ୍ଲାଣ୍ଡ। ଗ୍ରୀନ୍ଲାଣ୍ଡକୁ ସମ୍ପୂର୍ଣ୍ଣ କିଣିବା ପାଇଁ ଆମେରିକା ଚାହୁଁଥିବାବେଳେ ଏହି ଡିଲ୍ କାର୍ଯ୍ୟକାରୀ ହୋଇ ନ ପାରିଲେ ଜୁନ୍ ୧ରୁ ଟାରିଫ୍ ପରିମାଣ ୨୫%କୁ ବୃଦ୍ଧି କରିବେ ବୋଲି ଟ୍ରମ୍ପ୍ କହିଛନ୍ତି। ଟାରିଫ୍ ଧମକ ଟ୍ରମ୍ପ୍ ଏବଂ ନାଟୋ ସହଯୋଗୀଙ୍କ ମଧ୍ୟରେ ଗମ୍ଭୀର ଉତେଜନା ଆଶଙ୍କା କରାଯାଉଛି।