ନୂଆଦିଲ୍ଲୀ: ଜାତୀୟ ରାଜପଥ ବ୍ୟବହାର କରି ଟୋଲ ପଇଠ କରୁ ନଥିବା ଗାଡିର ମାଲିକମାନଙ୍କୁ ଆଗକୁ ବଡ ଅସୁବିଧା ସାମ୍ନା କରିବାକୁ ପଡିବ। ଗାଡି ଉପରେ ଟୋଲ ବକେୟା ଥିଲେ ତାହାକୁ ସେ ବିକ୍ରି କରିପାରିବେ ନାହିଁ। ଫିଟ୍ନେସ୍ ସାର୍ଟିଫିକେଟ ଓ ଜାତୀୟ ପରମିଟ୍ ବି ପାଇପାରିବେ ନାହିଁ। କେନ୍ଦ୍ର ସରକାର କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ବ୍ୟବସ୍ଥା ଲାଗୁ କରିଛନ୍ତି।
ସଂଶୋଧିତ ନିୟମ ଅନୁସାରେ ଟୋଲ ବକେୟା ଥିଲେ ଗାଡିର ମାଲିକାନା ହସ୍ତାନ୍ତର ପାଇଁ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ (ଏନ୍ଓସି) ମିଳିବ ନାହିଁ। ଫିଟ୍ନେସ୍ ସାର୍ଟିଫିକେଟ୍ ସୃଷ୍ଟି କିମ୍ବା ନବୀକରଣ କରାଯାଇପାରିବ ନାହିଁ। ଗାଡି ପାଇଁ ଜାତୀୟ ପରମିଟ୍ ଚାହୁଥିବା ବାଣିଜ୍ୟିକ ଯାନଗୁଡିକୁ ମଧ୍ୟ ତାହା ମିଳିବ ନାହିଁ। ଏଥିପାଇଁ ‘ଫର୍ମ ୧୮’ରେ ଆବଶ୍ୟକ ପରିବର୍ତନ କରାଯାଇଛି ଯେଉଁଥିରେ ଗାଡି ମାଲିକଙ୍କୁ କୌଣସି ଟୋଲ ବକେୟା ନଥିବା ସ୍ପଷ୍ଟ କରିବାକୁ ହେବ।
ବିଶେଷ କରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିମ୍ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଳାକୁ ଗାଡିର ମାଲିକାନା ହସ୍ତାନ୍ତର ହେବା ବେଳେ ଏହି ଫର୍ମ ଦରକାର ହୋଇଥାଏ। ଏନ୍ଓସି ପାଇବା ଲାଗି ଏହି ଫର୍ମ ଦାଖଲ କରାଯାଇଥାଏ ଯେଉଁଥିରେ କୌଣସି ଟିକସ, ଚାଲାଣ ବକେୟା ନଥିବା ଓ ଗାଡି ସହ କୌଣସି ଆଇନଗତ ସମସ୍ୟା ନଥିବା ଘୋଷଣା କରାଯାଇଥାଏ।